June 20, 2026

କଳାହାଣ୍ଡି ଝିଅ ଆଣିଲେ ଓଡିଶା ପାଇଁ ଗୌରବ।

IMG-20260620-WA0120
Share

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) ଜୁନ ମାସ ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଚାଲିଥିବା ସଂସଦ ସେଣ୍ଟ୍ରାଲ ହଲରେ ‘ବିକଶିତ ଭାରତ ୟୁଥ ପାର୍ଲ୍ୟାମେଣ୍ଟ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଦେଶର ଅନେକ ରାଜ୍ୟରୁ ଯୁବ ପ୍ରତିନିଧି ମାନେ ଯୋଗଦାନ କରିଥିବାବେଳେ, କଳାହାଣ୍ଡି ଜିଲ୍ଲା, ଭବାନୀପାଟଣା ସ୍ଥିତ ମା’ମାଣିକେଶ୍ବରୀ ବିଶ୍ୱ ବିଦ୍ୟାଳୟରେ ଅଧ୍ୟୟନରତ ସମାଜ ବିଜ୍ଞାନ ବିଭାଗର ମେଧାବି ଛାତ୍ରୀ ଝାନ୍ସୀ ରାଣୀ ମିଶ୍ର ଏହି କାର୍ଯ୍ୟକ୍ରମରେ ଓଡିଶା ପାଇଁ ପ୍ରତିନିଧିତ୍ୱ କରିଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ପ୍ରସଙ୍ଗ ଥିଲା ‘ନାରୀ ସଶକ୍ତିକରଣ’।ଏଥିରେ ଅନ୍ୟ ରାଜ୍ୟର ଯୁବ ପ୍ରତିନିଧି ମାନେ ନିଜ ନିଜର ବକ୍ତୃତା ଦେଇଥିବାବେଳେ,ଝାନ୍ସୀ ରାଣୀ ମିଶ୍ର ସେଠାରେ ନାରୀ ସଶକ୍ତିକରଣ ପ୍ରସଙ୍ଗ ଉପରେ ନିଜର ମତାମତ ଉପସ୍ଥାପନ କରି, ନିଜ ବକ୍ତୃତାରେ ମହିଳାଙ୍କ ସମାଜରେ ସମାନ ଅଧିକାର, ନେତୃତ୍ୱ କ୍ଷମତା, ମହିଳାଙ୍କ ଶିକ୍ଷା, ସ୍ୱାବଲମ୍ବନ ତଥା ଦେଶ ଗଠନରେ ମହିଳାଙ୍କ ସ୍ୱତନ୍ତ୍ର ଭୂମିକା ଆଦି ପ୍ରସଙ୍ଗ ଗୁଡିକୁ ଦୃଢ଼ ଏବଂ ଅତି ଚମତ୍କାର ଭାବରେ ଉପସ୍ଥାପନ କରିଥିଲେ। ଝାନ୍ସୀ ଏଭଳି ଗୁରୁତ୍ୱପୂର୍ଣ ତଥା ଯୁକ୍ତିପୂର୍ଣ ପ୍ରସଙ୍ଗ ଗୁଡିକୁ ଯେଉଁ ଭଳି ଭାବରେ ଉପସ୍ଥାପନ କଲେ, ତାହା ସେଠାରେ ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ଅତିଥି, ବିଚାରକ ତଥା ଅନ୍ୟ ପ୍ରତିନିଧି ମାନଙ୍କୁ ସମ୍ପୂର୍ଣ ରୂପେ ପ୍ରଭାବିତ କରିଥିଲା ଏବଂ ସେମାନଙ୍କ ଦ୍ୱାରା ଝାନ୍ସୀଙ୍କ ନିଜସ୍ୱ ମତାମତକୁ ଭୁରିଭୁରି ପ୍ରଶଂସା କରାଯାଇଥିଲା। ଏଥିସହ କାର୍ଯ୍ୟକ୍ରମ ଶେଷରେ ଝାନ୍ସୀ ରାଣୀ ମିଶ୍ର ଏଭଳି ଏକ ଅତି ଗୁରୁତ୍ୱପୂର୍ଣ ସ୍ଥାନରେ ଗୁରୁତ୍ୱପୂର୍ଣ ପ୍ରସଙ୍ଗ ଉପରେ ନିଜର ମତାମତ ରଖି, ପ୍ରଶଂସିତ ଓ ପୁରସ୍କୃତ ହୋଇ କଳାହାଣ୍ଡି ଜିଲ୍ଲା ତଥା ସମଗ୍ର ଓଡିଶା ପାଇଁ ଗୌରବ ଆଣିଦେଇଛନ୍ତି। ଏହି ଖବର ପ୍ରଚାର ହେବାପରେ ସମଗ୍ର କଳାହାଣ୍ଡି ଜିଲ୍ଲାରେ ଖୁସିର ଲହର ଖେଳି ଯାଇଥିବାବେଳେ, ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ମାନଙ୍କରୁ, ବିଶ୍ୱବିଦ୍ୟାଳୟ ପକ୍ଷରୁ ତଥା ବୁଦ୍ଧିଜୀବୀ ମାନଙ୍କ ଦ୍ୱାରା ତାଙ୍କର ଏହି କୃତିତ୍ୱକୁ ସ୍ୱାଗତ କରାଯାଇ ଶୁବେଛା ପ୍ରଦାନ କରାଯାଇଛି।