ଉମରକୋଟ ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ……..
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକର ମୃତ୍ୟୁ ଘଟିଥିବା ବେଳେ କ୍ଷତିପୂରଣ ଦାବିରେ ରାସ୍ତା ରୋକ କରିଥିଲେ ପରିବାର ଲୋକେ ଏବଂ ଗ୍ରାମବାସୀ। ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ଧୋଡ୍ରା ନିକଟସ୍ଥ ବିଡ୍ରି ନଦୀ ଏବଂ ପୂର୍ଲା ଛକ ମଝିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବିଡ୍ରିଗୁଡା ଗ୍ରାମର କାର୍ତିକ ଭତ୍ରା ନିଜ ଶଶୁର ଘର ତେନ୍ତୁଳିଗାଁରୁ କାମ ସାରି ଚାଲି ଚାଲି ଘରକୁ ଫେରୁଥିଲେ। ଏହି ସମୟରେ କୌଣସି ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଦ୍ରୁତ ଗତିରେ ପଳେଇଥିଲା। ଘଟଣାସ୍ଥଳରେ ହିଁ କାର୍ତିକଙ୍କ ମୃତ୍ୟୁ ଘଟିଥିଲା। ପରିବାରବର୍ଗ ଏବଂ ସ୍ଥାନୀୟ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚି ଉପଯୁକ୍ତ କ୍ଷତିପୂରଣ ଦାବି କରି ଶବକୁ ରାସ୍ତା ମଝିରେ ରଖି ରାସ୍ତାରୋକ କରିଥିଲେ ଉତ୍ତ୍ୟକ୍ତ ଲୋକେ। ଏହି ରାସ୍ତାରୋକ ଯୋଗୁଁ ଉମରକୋଟକୁ ନବରଙ୍ଗପୁର ଯୋଗାଯୋଗ ପ୍ରାୟ ଦୁଇ ଘଣ୍ଟା ଯାଏଁ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ପରେ ଖବର ପାଇ ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା ପରେ ଲୋକେ ଆନ୍ଦୋଳନରୁ ଓହରିଥିଲେ ଏବଂ ରାସ୍ତା ସ୍ବାଭାବିକ ହୋଇଥିଲା।
