June 16, 2026

ଓଡିଶା OJEE ଟପର ହେଲେ ସାଇ ଆରିୟା ଅନୁଷ୍କା ନାୟକ….

IMG-20260616-WA0030
Share

 

ତିର୍ତୋଲ

( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

 

ଦୃଢ଼ ଇଚ୍ଛାଶକ୍ତି, ଅକ୍ଳାନ୍ତ ପରିଶ୍ରମ ଓ ଲକ୍ଷ୍ୟ ପ୍ରତି ଅତୁଟ ନିଷ୍ଠା ଥିଲେ ସଫଳତା ନିଶ୍ଚିତ ଭାବେ ହାସଲ ହୁଏ । ଏହି କଥାକୁ ପୁଣିଥରେ ସତ୍ୟ ପ୍ରମାଣିତ କରିଛନ୍ତି ଜଗତସିଂହପୁର ଜିଲ୍ଲା,ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର ଚନ୍ଦା ଗ୍ରାମର କୃତୀ ଛାତ୍ରୀ ସାଇ ଆରିୟା ଅନୁଷ୍କା ନାୟକ । ଚଳିତ ବର୍ଷର OJEE (ଓଡ଼ିଶା ଯୁକ୍ତ ପ୍ରବେଶିକା ପରୀକ୍ଷା)ରେ ସେ ରାଜ୍ୟସ୍ତରରେ ରାଙ୍କ-୧ ହାସଲ କରି ଜଗତସିଂହପୁର ଜିଲ୍ଲା ପାଇଁ ଏକ ଗୌରବମୟ ଅଧ୍ୟାୟ ସୃଷ୍ଟି କରିଛନ୍ତି ।

ଇଞ୍ଜିନିୟର ବିଶ୍ୱଜିତ ନାୟକ ଓ ଉଷାରାଣୀ ନାୟକଙ୍କ ସୁକନ୍ୟା ଅନୁଷ୍କା ଛୋଟବେଳୁ ମେଧାବୀ, ଅନୁଶାସିତ ଓ ଅଧ୍ୟବସାୟୀ ଛାତ୍ରୀ ଭାବେ ପରିଚିତ । ପରିବାରର ପ୍ରେରଣା, ଜେଜେବାପା ବିଷ୍ଣୁ ପ୍ରସାଦ ନାୟକଙ୍କ ସ୍ନେହ ଏବଂ ନିଜର କଠିନ ପରିଶ୍ରମ ବଳରେ ସେ ଏହି ଅସାଧାରଣ ସଫଳତା ହାସଲ କରିପାରିଛନ୍ତି । ଚଳିତ ବର୍ଷ OJEE ପରୀକ୍ଷାରେ ପ୍ରାୟ ୧ ଲକ୍ଷ ୩ ହଜାରରୁ ଅଧିକ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିବା ବେଳେ ସମସ୍ତଙ୍କୁ ପଛରେ ପକାଇ ଅନୁଷ୍କା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ତାଙ୍କ ଏହି କୃତିତ୍ୱ କେବଳ ବ୍ୟକ୍ତିଗତ ସଫଳତା ରେ ସୀମିତ ନ ରହି ସମଗ୍ର ଜଗତସିଂହପୁର ଜିଲ୍ଲା ଓ ତିର୍ତ୍ତୋଲ ଅଞ୍ଚଳ ପାଇଁ ଗର୍ବ ଗୌରବ ର ବିଷୟ ପାଲଟିଛି । ଫଳ ପ୍ରକାଶ ପାଇବା ପରେ ଅନୁଷ୍କାଙ୍କ ବାସଭବନରେ ଶୁଭେଚ୍ଛୁ, ଶିକ୍ଷାବିତ୍ ଓ ଅଞ୍ଚଳବାସୀଙ୍କ ଭିଡ଼ ଲାଗି ରହିଥିଲା । ଜଗନ୍ନାଥପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ସୁଶାନ୍ତ କୁମାର ନାୟକ ତାଙ୍କ ଘରେ ପହଞ୍ଚି ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ସେ କହିଥିଲେ ଯେ, ଅନୁଷ୍କା ଙ୍କ ଏହି ସଫଳତା ସମଗ୍ର ପଞ୍ଚାୟତ ଓ ତିର୍ତ୍ତୋଲ ଅଞ୍ଚଳ ପାଇଁ ଗୌରବର ବିଷୟ ।

ସେହିପରି ପାରାଦ୍ୱୀପ ବିଧାୟକ ତଥା ରାଜ୍ୟର ଶିଳ୍ପ, ବୈଷୟିକ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମଧ୍ୟ ଅନୁଷ୍କାଙ୍କ ଘରକୁ ଯାଇ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ପୁଷ୍ପଗୁଚ୍ଛ ପ୍ରଦାନ କରି ସେ ଅନୁଷ୍କାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଓଡ଼ିଶାର ନାମକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଆହୁରି ଉଚ୍ଚକୁ ନେଇଯିବେ ବୋଲି ଆଶା ପ୍ରକାଶ କରିଥିଲେ । ସାଇ ଆରିୟା ଅନୁଷ୍କା ନାୟକ ଙ୍କ ଏହି ଐତିହାସିକ ସଫଳତା ଆଜି ଜଗତସିଂହପୁର ଜିଲ୍ଲା ପାଇଁ ପ୍ରେରଣାର ଉତ୍ସ ପାଲଟିଥିବା ବେଳେ ତାଙ୍କ କୃତିତ୍ୱ ଆଗାମୀ ପିଢ଼ୀର ଛାତ୍ରଛାତ୍ରୀଙ୍କ ମନରେ ନୂଆ ସ୍ୱପ୍ନ, ଆତ୍ମବିଶ୍ୱାସ ଓ ସଫଳତାର ଅଦମ୍ୟ ଆକାଂକ୍ଷା ସୃଷ୍ଟି କରିଛି ।