ଗଜପତି:- ମା’ଙ୍କ ସେବା ପାଇଁ ପାଠପଢ଼ା ଛାଡ଼ିଲା ୧୩ ବର୍ଷର ଝିଅ ନିଷ୍ପାରୀୟା ।
୮୦% ମାନସିକ ଅକ୍ଷମତା ସତ୍ତ୍ୱେ ସରକାରୀ ସହାୟତାରୁ ବଞ୍ଚିତ ପରିବାର ।
—————————————
ଯେଉଁ ବୟସରେ ହାତରେ ବହି-ଖାତା ରହିବା କଥା, ସେହି ବୟସରେ ଜଣେ ୧୩ ବର୍ଷର ଝିଅ ମା’ଙ୍କ ସେବାରେ ଦିନ କାଟୁଛି। ମା’ଙ୍କ ଅସୁସ୍ଥତା ଆଗରେ ନିଜ ପାଠପଢ଼ା ଓ ଭବିଷ୍ୟତକୁ ପଛରେ ରଖିବାକୁ ବାଧ୍ୟ ହୋଇଛି ଝିଅ ନିଷ୍ପାରୀୟା। ଏଭଳି ଏକ ଦୁଃଖଦ ଚିତ୍ର ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତର ତଣ୍ଡରଙ୍ଗ ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମର ମିତାରା ନାଇକା (୪୦) କିଛି ବର୍ଷ ଧରି ମାନସିକ ଅସୁସ୍ଥତାରେ ପୀଡ଼ିତ ଥିବା ପରିବାର ପକ୍ଷରୁ କୁହାଯାଉଛି। ସ୍ୱାମୀ ଏଲିଶାୟ ନାଇକା (୬୦) ନିଜ ସାମର୍ଥ୍ୟ ଅନୁସାରେ ତାଙ୍କ ଚିକିତ୍ସା କରାଇ ଆସୁଛନ୍ତି।ପରିବାରର କହିବା ଅନୁଯାୟୀ, ମିତାରାଙ୍କ ପାଖରେ ୮୦ ପ୍ରତିଶତ ମାନସିକ ଅକ୍ଷମତା ସମ୍ପର୍କିତ ପ୍ରମାଣପତ୍ର ରହିଛି। ତଥାପି ଆବଶ୍ୟକ ସରକାରୀ ସହାୟତା ମିଳୁନଥିବା ଅଭିଯୋଗ ହୋଇଛି। ଗତ ଏକ ବର୍ଷ ଧରି ସରକାରୀ କାର୍ଯ୍ୟାଳୟକୁ ଯାଇ ଯାଇ ସହାୟତା ପାଇଁ ଆବେଦନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସହାୟତା ନ ମିଳିବାରୁ ଏଲିଶାୟ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ମିତାରା’ଙ୍କ ଦୁଇ ସନ୍ତାନ—୯ ବର୍ଷର ପୁଅ ମେଡିଷ୍କାର ଓ ୧୩ ବର୍ଷର ଝିଅ ନିଷ୍ପାରୀୟା। ମା’ଙ୍କୁ ଏକାକୀ ଛାଡ଼ି ରହିବା ସମ୍ଭବ ନ ହେବାରୁ ନିଷ୍ପାରୀୟା ପାଠପଢ଼ା ଛାଡ଼ି ମା’ଙ୍କ ଯତ୍ନ ନେଉଛି। ଯେଉଁ ବୟସରେ ତା’ର ହାତରେ ବହି ଖାତା ଓ ଖେଳନା ରହିବା କଥା, ସେହି ବୟସରେ ତା’ର ଦିନ କଟୁଛି ମା’ଙ୍କ ଯତ୍ନ ନେବାରେ। ସ୍ତ୍ରୀଙ୍କ ଚିକିତ୍ସା, ଘର ଖର୍ଚ୍ଚ ଓ ଦୁଇ ପିଲାଙ୍କ ଭବିଷ୍ୟତ—ସବୁକିଛିର ଚିନ୍ତାରେ ୬୦ ବର୍ଷୀୟ ଏଲିଶାୟ ଚିନ୍ତିତ। ତଥାପି ପରିବାର ପାଇଁ ତାଙ୍କ ସଂଘର୍ଷ ଜାରି ରହିଛି।ଏନେଇ ଗୁମ୍ମା ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ଦୁଲେରାମ ମାରାଣ୍ଡିଙ୍କୁ ପଚାରିବାରୁ, ପରିବାରକୁ ଭତ୍ତା ଓ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ତୁରନ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।
ଏବେ ପ୍ରଶ୍ନ ହେଉଛି ମା’ଙ୍କ ସେବା ପାଇଁ ଯେଉଁ ଶିଶୁ ନିଜ ପାଠପଢ଼ା ଛାଡ଼ିଛନ୍ତି ସେହି ଝିଅର ଭବିଷ୍ୟତ ପାଇଁ ସରକାରୀ ସହାୟତା କେବେ ପହଞ୍ଚିବ ସେଥିପାଇଁ ସାଧାରଣରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
——————————————
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
———————–;—————–
