September 29, 2026

ଗଞ୍ଜେଇ ମାମଲାକୁ ନେଇ ତୁମୁଳ କାଣ୍ଡ ମାଛକୁଣ୍ଡ ଥାନାରେ ତାଲା ପକାଇଲେ ଗ୍ରାମବାସୀ

IMG-20260812-WA0011
Share

 

 

୧୨/୦୮/୨୦୨୬ (ଗୁପ୍ତେଶ୍ୱର ରଥ କୋରାପୁଟ)/ ଗଞ୍ଜେଇ ମାମଲାକୁ କେନ୍ଦ୍ର କରି କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ସେମିଲିପଦର ଗ୍ରାମବାସୀ ପୋଲିସ ବିରୋଧରେ ଗୁରୁତର ଅଭିଯୋଗ ଆଣି ମାଛକୁଣ୍ଡ ଥାନାରେ ତାଲା ପକାଇ ବିକ୍ଷୋଭ କରିଥିବା ଜଣାପଡ଼ିଛି।

 

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗଞ୍ଜେଇ ସମ୍ପର୍କିତ ଏକ ମାମଲାରେ ଗତ ୭ ତାରିଖରେ ପୋଲିସ ୪ ଜଣଙ୍କୁ ଥାନାକୁ ଆଣିଥିଲା। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ପରେ ଛାଡ଼ି ଦିଆଯାଇଥିବା ବେଳେ ଅନ୍ୟ ୨ ଜଣଙ୍କୁ ଦୀର୍ଘ ସମୟ ଧରି ଥାନାରେ ରଖାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏପରିକି ସେମାନଙ୍କୁ ଥାନାରେ ନିର୍ଯାତନା ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି।

 

ଏହାପରେ ଉକ୍ତ ଦୁଇଜଣଙ୍କୁ ଗଞ୍ଜେଇ ଚୋରାଚାଲାଣ ମାମଲାରେ କୋର୍ଟ ଚାଲାଣ କରାଯାଉଥିବା ଖବର ପାଇ ଗ୍ରାମବାସୀ ମାଛକୁଣ୍ଡ ଥାନାରେ ପହଞ୍ଚିଥିଲେ। ସେମାନେ ଅଭିଯୁକ୍ତଙ୍କ ବିରୋଧରେ ମିଥ୍ୟା ମାମଲା କରାଯାଇଥିବା ଅଭିଯୋଗ କରିବା ସହ ପୋଲିସର କାର୍ଯ୍ୟକଳାପକୁ ନେଇ ପ୍ରତିବାଦ କରିଥିଲେ।

 

ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବା ପରେ ଗ୍ରାମବାସୀ ଥାନାରେ ତାଲା ପକାଇ ବିକ୍ଷୋଭ କରିଥିବା ଜଣାପଡ଼ିଛି। ଘଟଣାକୁ ନେଇ ମାଛକୁଣ୍ଡ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

 

ତେବେ ଗ୍ରାମବାସୀଙ୍କ ଏହି ସମସ୍ତ ଅଭିଯୋଗ ନେଇ ପୋଲିସର ପକ୍ଷ କଣ ରହିଛି, ଥାନାକୁ ଅଣାଯାଇଥିବା ବ୍ୟକ୍ତିମାନଙ୍କ ବିରୋଧରେ ପ୍ରକୃତରେ କେଉଁ ଅଭିଯୋଗ ରହିଛି ଏବଂ ମାମଲାର ବାସ୍ତବ ସତ୍ୟତା କଣ—ତାହା ପୋଲିସର ଅଧିକୃତ ପ୍ରତିକ୍ରିୟା ଓ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

You may have missed