ବିକଶିତ ଭାରତ ଯୁବ ସଂସଦ ୨୦୨୭ କାର୍ଯ୍ୟକ୍ରମ ଅନୁଷ୍ଠିତ..
ପାରଳାଖେମୁଣ୍ଡି(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଏସ୍.କେ.ସି.ଜି.ସ୍ୱୟଂଶାସିତ ମହାବିଦ୍ୟାଳୟ ଠାରେ ମେରା ଯୁବ ଭାରତ ଗଜପତି ପକ୍ଷରୁ ବିକଶିତ ଭାରତ ଯୁବ ସଂସଦ ୨୦୨୭ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସଂଯୋଜକ ତଥା ପରୀକ୍ଷା ନିୟନ୍ତ୍ରକ ଡଃ.ବିଘ୍ନେଶ୍ୱର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଡଃ.ବିପ୍ଳବ ରଞ୍ଜନ ପ୍ରଧାନ,ପ୍ରାଣୀ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଶ୍ରୀ କାନନ ବାଳା ପାତ୍ର,ଇଂରାଜୀ ବିଭାଗର ଅଧ୍ୟାପିକା ଶ୍ରୀ କୋମଲଶିଖା ମଲ୍ଲିକ,ଗୃହ ବିଜ୍ଞାନ ବିଭାଗର ଅଧ୍ୟାପିକା ଡଃ.ମଧୁସ୍ମିତା ପ୍ରଧାନ, ରସାୟନ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଶ୍ରୀ ବିଦ୍ୟାଧର ସେଠୀ ଏବଂ କୀଟତତ୍ତ୍ୱ ବିଭାଗର ମୁଖ୍ୟ
ଡଃ.ନିହାଲ ରବୀନ୍ଦ୍ରନାଥ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଅତିଥି ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୁବପିଢ଼ିଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ,ନେତୃତ୍ୱ ଦକ୍ଷତା,ସଂସଦୀୟ ପ୍ରକ୍ରିୟା ଓ ଦେଶ ଗଠନରେ ଯୁବବର୍ଗଙ୍କ ଭୂମିକା ସମ୍ପର୍କରେ ନିଜର ମତବ୍ୟକ୍ତ କରିଥିଲେ।ଏହା ପରେ ନିର୍ଦ୍ଧାରିତ ବିଷୟବସ୍ତୁ “ନିଶାମୁକ୍ତ ଯୁବପିଢ଼ି-ବିକଶିତ ଭାରତ” ଉପରେ ଯୁବ ସଂସଦ ବିତର୍କ ପ୍ରତିଯୋଗିତା ଆରମ୍ଭ ହୋଇଥିଲା।ଏଥିରେ ଛାତ୍ରଛାତ୍ରୀ ମାନେ ଉତ୍ସାହର ସହ ଭାଗ ନେଇ ନିଶାମୁକ୍ତ ସମାଜ ଗଠନ, ଯୁବପିଢ଼ିଙ୍କ ଦାୟିତ୍ୱ ଏବଂ ବିକଶିତ ଭାରତ ଗଠନରେ ସେମାନଙ୍କ ଅବଦାନ ସମ୍ପର୍କରେ ନିଜ ନିଜର ମତ ଓ ଯୁକ୍ତି ଉପସ୍ଥାପନ କରିଥିଲେ।ପ୍ରତିଯୋଗିତା ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।ଶେଷରେ ମେରା ଯୁବ ଭାରତ କାର୍ଯ୍ୟାଳୟ ପକ୍ଷରୁ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା।ଜିଲ୍ଲା ଯୁବ ଅଧିକାରୀ ଶ୍ରୀ କିଶୋର ଭେମୁଲାୱାଡାଙ୍କ ନିର୍ଦ୍ଦେଶ ଓ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହ ଆୟୋଜିତ ହୋଇଥିଲା।ଏଥିରେ ମେରା ଯୁବ ଭାରତର କର୍ମଚାରୀ ଶ୍ରୀ ଭି. ଭବାନୀ ପ୍ରସାଦ,ଶ୍ରୀ ଏ. ମହେଶ୍ୱର ରାଓ ଏବଂ ବିଭିନ୍ନ ବ୍ଲକର ଯୁବ ସ୍ୱେଚ୍ଛାସେବୀ ମାନେ ସକ୍ରିୟ ସହଯୋଗ କରିଥିଲେ।
