November 11, 2026

ଜୁମଡ଼ାଙ୍ଗ ଗ୍ରାମବାସୀଙ୍କ ସମସ୍ୟା ଶୁଣିଲେ ଜିଲ୍ଲାପାଳ: ତ୍ୱରିତ ସମାଧାନ ପାଇଁ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ

IMG-20261110-WA0086
Share

 

 

*ମାଲକାନଗିରି/ ଚିତ୍ରକୋଣ୍ଡା, ୧୦/୧୧/୨୬:*

 

ଉଭୟ ଜିଲ୍ଲା ଓ ରାଜ୍ ପ୍ରଶାସନ ପାଇଁ ଗୁରୁତ୍ୱ ବହନ କରୁଥିବା ଚିତ୍ରକୋଣ୍ଡା ବ୍ଳକ୍ ଧୁଳିପୁଟ ପଞ୍ଚାୟତ ଅନ୍ତର୍ଗତ ଜୁମଡ଼ାଙ୍ଗ ଗ୍ରାମର ସମସ୍ୟା ସମାଧାନ ତଥା ବିକାଶ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ

ରାଜେଶିର୍କେଙ୍କ ଅଧ୍ୟକ୍ଷତାରେ ଏଫ.ଏଲ.ସି ହଲ୍‌ ଠାରେ ଆୟୋଜିତ ଏହି ବୈଠକରେ ଗ୍ରାମବାସୀଙ୍କ ବିଭିନ୍ନ ଅଭିଯୋଗ ଉପରେ ବିସ୍ତୃତ ଆଲୋଚନା କରାଯାଇଛି। ଜୁମଡ଼ାଙ୍ଗ ପ୍ରସଙ୍ଗ ଏକ ସମ୍ବେଦନଶୀଳ ବିଷୟ ହୋଇଥିବାରୁ ପ୍ରଶାସନ ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛି।

 

ଏହି ବୈଠକରେ ରାସ୍ତା ନିର୍ମାଣ, ଜମି ପଟ୍ଟା ପ୍ରଦାନ, ଇଲେକ୍ଟ୍ରିଫିକେସନ୍, ସ୍କୁଲ୍ ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ଭଳି ଅତ୍ୟାବଶ୍ୟକ ମୌଳିକ ସମସ୍ୟାଗୁଡ଼ିକ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏହା ବ୍ୟତୀତ ଆଧାର କାର୍ଡ, ବାସିନ୍ଦା (ରେସିଡେଣ୍ଟ୍) ସାର୍ଟିଫିକେଟ୍, ପିଏମ୍ ଏବଂ ଆରଏଚ୍ ଆବାସ ଯୋଜନା ତଥା ପିଡିଏସ୍ ବ୍ୟବସ୍ଥାରେ ଠିକ୍ ଭାବେ ଚାଉଳ ବଣ୍ଟନ ଭଳି ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯାଇଛି।

 

ସମସ୍ୟାର ତ୍ୱରିତ ସମାଧାନ ନେଇ ଜିଲ୍ଲାପାଳ କହିଛନ୍ତି ଯେ, ଗ୍ରାମବାସୀଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ସର୍ବଦା ପ୍ରତିଶ୍ରୁତିବଦ୍ଧ। ରାସ୍ତାଘାଟ, ବିଦ୍ୟୁତ୍ କରଣ, ଏବଂ ଆବାସ ଯୋଜନା ଭଳି ସମସ୍ତ ବିକାଶମୂଳକ କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ ତଥା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

 

ଏହି ଉଚ୍ଚସ୍ତରୀୟ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ, ସିଡିଓ-କମ୍-ଇଓ ଦାଶରଥୀ ସରାବୁ, ପିଏ ଆଇଟିଡିଏ ହଳଧର ଶବର, ଚିତ୍ରକୋଣ୍ଡା ବିଡିଓ ପ୍ରୀତା କୁମାର ଏବଂ ତହସିଲଦାର ନଟବର ଗରଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ଜୁମଡ଼ାଙ୍ଗ ଗ୍ରାମବାସୀ ମାନେ ମଧ୍ୟ ଉପସ୍ଥିତ ରହି ନିଜର ମତାମତ ଉପସ୍ଥାପନ କରିଥିଲେ ।