ସାଇକେଲ୍ ଥିଲା ଜୀବନସାଥୀ, ସରଳତା ଥିଲା ପରିଚୟ…!!! ଗାଁର ପ୍ରେରଣା ପୁରୁଷ କେଳୁଚରଣ, ଆଜି ବି ମନେ ପଡ଼େ ସେହି ସାଇକେଲ୍ ଯାତ୍ରା…..।
କୁଜଙ୍ଗ ,
( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
ଜୀବନର ଶେଷ ଦିନ ପର୍ଯ୍ୟନ୍ତ ସରଳତା, ଶୃଙ୍ଖଳା ଓ ସକ୍ରିୟତାର ଅନନ୍ୟ ଉଦାହରଣ ପାଲଟିଥିବା ସ୍ୱର୍ଗତ କେଳୁଚରଣ ସାମଲଙ୍କ ଏକାଦଶ ଅବସରରେ ରବିବାର ଦିନ କୁଜଙ୍ଗ ବ୍ଲକ ବିଶ୍ୱାଳି ପଞ୍ଚାୟତ ଅନ୍ତର୍ଗତ କୋଲଡ଼ିଆ ଗ୍ରାମସ୍ଥିତ ତାଙ୍କ ବାସଭବନରେ ଏକ ଭାବଗମ୍ଭୀର ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଛି । ବନ୍ଧୁ, ପରିଜନ, ଗ୍ରାମବାସୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ତାଙ୍କ କର୍ମମୟ ଜୀବନ ଓ ମାନବିକ ଗୁଣାବଳୀକୁ ସ୍ମରଣ କରିଥିଲେ ।
ମତ୍ସ୍ୟ ବିଭାଗରେ ସୁପରଭାଇଜର ଭାବେ ଦୀର୍ଘଦିନ କାର୍ଯ୍ୟ କରି ୧୯୯୩ ମସିହାରେ ଅବସର ଗ୍ରହଣ କରିଥିଲେ କେଳୁଚରଣ ସାମଲ । ତେବେ ଅବସର ପରେ ମଧ୍ୟ ସେ କେବେ ନିଷ୍କ୍ରିୟ ହୋଇନଥିଲେ । ୯୨ ବର୍ଷ ବୟସରେ ବି ସାଇକେଲ ଥିଲା ତାଙ୍କ ନିତ୍ୟ ଜୀବନ ସାଥୀ । ପ୍ରତିଦିନ ପ୍ରାୟ ୧୦ କିଲୋମିଟର ସାଇକେଲ ଚଳାଇ ବିଭିନ୍ନ ଅଞ୍ଚଳକୁ ଯାଉଥିବା ଥିଲା ତାଙ୍କ ଅଭ୍ୟାସ । ଅଞ୍ଚଳବାସୀଙ୍କ ମନରେ ଆଜିବି ସଜୀବ ରହିଛି ସେଦିନର କଥା । ଗ୍ରାମବାସୀଙ୍କ କହିବା ଅନୁଯାୟୀ, ସେ ଅତ୍ୟନ୍ତ ସମୟାନୁବର୍ତ୍ତୀ, ପରିଶ୍ରମୀ ଓ ସାଧାରଣ ଜୀବନ ଯାପନରେ ସେ ବିଶ୍ୱାସୀ ଥିଲେ । ବୃଦ୍ଧାବସ୍ଥାରେ ମଧ୍ୟ ତାଙ୍କ ଦୈନନ୍ଦିନ ଚଳାଚଳ ଓ ସକ୍ରିୟତା ଯୁବପିଢ଼ୀଙ୍କ ପାଇଁ ସ୍ୱତନ୍ତ୍ର ପ୍ରେରଣାଦାୟକ ଥିଲା । ତେବେ ଗାଧୋଇବା ସମୟରେ ଗୋଡ଼ ଖସି ପଡ଼ିଯିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅବନତି ଘଟିଥିଲା । ପ୍ରଥମେ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଓ ପରେ କଟକ ଏସ୍.ସି.ବି. ମେଡିକାଲ କଲେଜ ଓ ହସ୍ପିଟାଲରେ ତାଙ୍କ ଚିକିତ୍ସା କରାଯାଇଥିଲା । ପ୍ରାୟ ଏକ ମାସ ଧରି ଚିକିତ୍ସାଧୀନ ରହିବା ପରେ ତାଙ୍କର ପରଲୋକ ଘଟିଥିଲା । ପରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ତାଙ୍କ ସ୍ମୃତି ସଭାରେ ପୂର୍ବତନ ସାଂସଦ ଡା. କୂଳମଣି ସାମଲ, ପୂର୍ବତନ ମୃତ୍ତିକା ବିଜ୍ଞାନୀ ବାବାଜୀ ଚରଣ ସେଠୀ, ପୂର୍ବତନ ବ୍ୟାଙ୍କ ମ୍ୟାନେଜର ସଞ୍ଜୟ ସାହୁ, ରବୀନ୍ଦ୍ରନାଥ ମହାପାତ୍ର, ଇଂ. ଧରଣୀଧର ବେହେରା, ପୂର୍ବତନ ସରପଞ୍ଚ ଧୀରେନ୍ଦ୍ର ସାହୁ, ମଥୁରାନନ୍ଦ ତରାଇ ଓ ଇଞ୍ଜିନିୟର ପ୍ରମୋଦ ମହାପାତ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ସେହି ସଭାରେ ବକ୍ତାମାନେ କହିଥିଲେ ଯେ, କେଳୁ ଚରଣଙ୍କ ସାଇକେଲ ଆଜି ଚାଲୁନଥିଲେ ମଧ୍ୟ ତାଙ୍କ ସରଳ ଜୀବନ ଦର୍ଶନ, କର୍ତ୍ତବ୍ୟନିଷ୍ଠା ଓ ଶୃଙ୍ଖଳିତ ଚଳଣୀ ସମାଜ ପାଇଁ ଚିରସ୍ମରଣୀୟ ହୋଇ ରହିବ । ତାଙ୍କ ସ୍ମୃତି ଓ ଜୀବନ ସନ୍ଦେଶ ଆଗାମୀ ପିଢ଼ୀକୁ ସକାରାତ୍ମକ ଜୀବନ ଦିଗରେ ପ୍ରେରିତ କରିବ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ ।
