କଣ୍ଟେନର ଭିତରୁ ୫୦ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର, ଅନେକ ବଳଦଙ୍କ ମୃତ୍ୟୁ; ନମ୍ବରବିହୀନ ଗାଡ଼ି ଜବତ
(ଧର୍ମଗଡ଼ ଉପଖଣ୍ଡ ରୁ ପ୍ରଦିପ ଭରାଶଗରିଆ ଙ୍କ ରିପୋର୍ଟ୍”ଉପାନ୍ତ ଖବର”)
କଳାହାଣ୍ଡି ଜିଲ୍ଲାରେ ଗୋରୁ ଚାଲାଣକୁ ନେଇ ପୁଣି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। କୋକସରା ଥାନା ଅନ୍ତର୍ଗତ ଧନପୁର-ତେତେଲପଡ଼ା ନିକଟରେ ଏକ ନମ୍ବରବିହୀନ କଣ୍ଟେନର ଗାଡ଼ିରୁ ୫୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ ପୋଲିସ ଜବତ କରିଛି। ତେବେ କଣ୍ଟେନର ମଧ୍ୟରେ ଅତ୍ୟଧିକ ସଂଖ୍ୟାରେ ଗୋରୁଙ୍କୁ ଭର୍ତ୍ତି କରାଯାଇଥିବାରୁ ଅନେକ ବଳଦଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ସୂଚନା ଅନୁସାରେ, ଧନପୁର-ତେତେଲପଡ଼ା ଅଞ୍ଚଳ ଦେଇ ଏକ କଣ୍ଟେନର ଗାଡ଼ିରେ ବହୁ ସଂଖ୍ୟାରେ ଗୋରୁ ନିଆଯାଉଥିବା ନେଇ କୋକସରା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା। ଖବର ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କଣ୍ଟେନର ଗାଡ଼ିକୁ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ଗାଡ଼ି ଭିତରେ ୫୦ରୁ ଊର୍ଦ୍ଧ୍ୱ ଗୋରୁ ରହିଥିବା ଜଣାପଡ଼ିଥିଲା। ପୋଲିସ ତୁରନ୍ତ ଗୋରୁଗୁଡ଼ିକୁ ଉଦ୍ଧାର କରିବା ସହ କଣ୍ଟେନର ଗାଡ଼ିକୁ ଜବତ କରିଥିଲା।
ଉଦ୍ଧାର ହୋଇଥିବା ଗୋରୁମାନଙ୍କୁ ପରବର୍ତ୍ତୀ ସମୟରେ ବାଙ୍କିମୁଣ୍ଡା ସ୍ଥିତ ଗୋଶାଳାକୁ ପଠାଯାଇ ସେଠାରେ ରଖାଯାଇଛି। ତେବେ ଏତେ ସଂଖ୍ୟକ ଗୋରୁଙ୍କୁ ଗୋଟିଏ କଣ୍ଟେନର ମଧ୍ୟରେ ଅମାନବୀୟ ଭାବେ ଭର୍ତ୍ତି କରାଯାଇଥିବାରୁ ଅନେକ ବଳଦଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ଏହା ଗୋରୁଙ୍କ ପ୍ରତି ହେଉଥିବା ଅମାନବୀୟ ବ୍ୟବହାରକୁ ପଦାରେ ପକାଇଛି।
ଅନ୍ୟପକ୍ଷରେ ଜବତ ହୋଇଥିବା କଣ୍ଟେନର ଗାଡ଼ିରେ କୌଣସି ନମ୍ବର ପ୍ଲେଟ୍ ନଥିବା ଜଣାପଡ଼ିଛି। ଗାଡ଼ିଟି କାହାର, ଗୋରୁଗୁଡ଼ିକ କେଉଁଠାରୁ ଅଣାଯାଉଥିଲା ଏବଂ କେଉଁ ସ୍ଥାନକୁ ଚାଲାଣ କରାଯାଉଥିଲା, ସେନେଇ ଏବେ ଅନେକ ପ୍ରଶ୍ନ ଉଠିଛି। କୋକସରା ପୋଲିସ ଗାଡ଼ିକୁ ଜବତ କରି ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି।
ତଦନ୍ତ ପରେ ଗୋରୁ ଚାଲାଣ ପଛରେ କିଏ ସମ୍ପୃକ୍ତ ଅଛନ୍ତି ଏବଂ ଏହି ଚାଲାଣର ଉଦ୍ଦେଶ୍ୟ କ’ଣ ଥିଲା, ତାହା ସ୍ପଷ୍ଟ ହେବ। ଏଭଳି ଘଟଣାରେ ସମ୍ପୃକ୍ତ ଥିବା ଲୋକଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
