ନୂତନ ଶିକ୍ଷା ଯୋଜନା ଓ ଓଡ଼ିଶାର ଭାଗ୍ୟ
ଡା. ରାଜାରାମ ଷଡ଼ଙ୍ଗୀ
ନୂତନ ଶିକ୍ଷା ଯୋଜନାରେ ଆଗାମୀ ଓଡ଼ିଶାର ଭବିଷ୍ୟତ କଣ ଏଭଳି ବିଷୟ ରଖି ଜଣେ ଦୂରଦ୍ରଷ୍ଟା ଶିକ୍ଷକଙ୍କ ସହିତ ଆମ ଭିତରେ ଅନେକ ଆଲୋଚନା ହେଲା।ଶିକ୍ଷକ ପ୍ରଫୁଲ୍ଲ କୁମାର ପଣ୍ଡା କଥା ପ୍ରସଙ୍ଗରେ ଅନେକ ଆଲୋଚନା କରି ନୂତନ ଶିକ୍ଷା ଯୋଜନାକୁ ସ୍ୱାଗତ କରିବା ସହିତ ଏହି ଲକ୍ଷ୍ୟ ସାଧନା ପାଇଁ ସମ୍ୱନ୍ୱିତ ଲକ୍ଷ୍ୟ ଉପରେ ଗୁରୁତ୍ୱ ଦେଇଥିଲେ। ଏପରିକି ବର୍ତ୍ତମାନର ବ୍ୟବସ୍ଥାକୁ ଦେଖି ଆମ୍ଭେ ଦୀର୍ଘ ସମୟର ପଛକୁ ଫେରିଯିବା ନାହିଁତ! ଏଭଳି ସନ୍ଧେହର ପ୍ରଶ୍ନବାଚୀର ଆଲୋଚନା ଏକ ଚିନ୍ତାର ବିଷୟ। ଜଣେ ଉଚ୍ଚମନା, ସ୍ୱାଭିମାନୀ, ଦୂରଦ୍ରଷ୍ଟା ଶିକ୍ଷକଙ୍କ ସହିତ ଯେଉଁ ଆଲୋଚନା ହେଲା ତାହାକୁ ଆଜି ଦିନରେ ଗୁରୁ ଗମ୍ଭୀର ଭାବେ ତାଙ୍କର ଜଣେ ବିଶ୍ୱାସୀ ଛାତ୍ର ଭାବେ ମତେ କାହିଁକି ଅନୁଭବ କରିବାକୁ ପଡୁଛି।
ଏହା ସତ ଶିକ୍ଷା କେବଳ ଅକ୍ଷର ଚିହ୍ନିବା କିମ୍ବା ପରୀକ୍ଷାରେ ଭଲ ନମ୍ବର ରଖିବାର ମାଧ୍ୟମ ନୁହେଁ। ଶିକ୍ଷା ହେଉଛି ମଣିଷ ଗଢ଼ିବାର କାରଖାନା, ସମାଜ ପରିବର୍ତ୍ତନର ଅସ୍ତ୍ର ଏବଂ ଏକ ସମୃଦ୍ଧ ରାଷ୍ଟ୍ର ନିର୍ମାଣର ମୂଳଦୁଆ। ଯେଉଁ ଦେଶର ଶିକ୍ଷା ବ୍ୟବସ୍ଥା ଯେତେ ସୁଦୃଢ଼, ସେହି ଦେଶର ଭବିଷ୍ୟତ ସେତେ ଉଜ୍ଜ୍ୱଳ। ଏହି ଦୃଷ୍ଟିକୋଣରୁ ଭାରତର ନୂତନ ଜାତୀୟ ଶିକ୍ଷାନୀତି-୨୦୨୦ (National Education Policy-2020) କେବଳ ଏକ ଶିକ୍ଷାଗତ ସଂସ୍କାର ନୁହେଁ, ବରଂ ଭାରତର ଆଗାମୀ ପିଢ଼ିକୁ ନୂଆ ଦିଗ ଦେବାର ଏକ ଦୀର୍ଘକାଳୀନ ପରିକଳ୍ପନା।
କିନ୍ତୁ ପ୍ରଶ୍ନ ହେଉଛି, ଏହି ନୂତନ ଶିକ୍ଷାନୀତି ଓଡ଼ିଶାର ଭାଗ୍ୟ ବଦଳାଇ ପାରିବ କି? ଗାଁର ଗରିବ ଶିଶୁ, ଆଦିବାସୀ ଅଞ୍ଚଳର ଛାତ୍ରଛାତ୍ରୀ, ସହରର ମଧ୍ୟବିତ୍ତ ପରିବାର ଏବଂ ଉଚ୍ଚଶିକ୍ଷାରୁ ବଞ୍ଚିତ ଯୁବପିଢ଼ି ଏହାର ପ୍ରକୃତ ସୁଫଳ ପାଇପାରିବେ କି? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଖୋଜିବା ଆଜି ସମୟର ଆହ୍ୱାନ।
ଭାରତର ଶିକ୍ଷା ପରମ୍ପରା ଅତ୍ୟନ୍ତ ପ୍ରାଚୀନ। ଗୁରୁକୁଳ, ଟୋଲ ଓ ପାଠଶାଳା ମାଧ୍ୟମରେ ଜ୍ଞାନ, ନୈତିକତା, ଶୃଙ୍ଖଳା ଓ ଜୀବନ ଦର୍ଶନର ଶିକ୍ଷା ଦିଆଯାଉଥିଲା। ଓଡ଼ିଶାରେ ମଧ୍ୟ ଗ୍ରାମୀଣ ଚାଟଶାଳୀ, ଗୁରୁକୁଳ ଓ ପାରମ୍ପରିକ ଶିକ୍ଷାକେନ୍ଦ୍ର ଶିକ୍ଷାର ପ୍ରସାରରେ ଭୂମିକା ନେଇଥିଲେ।ବ୍ରିଟିଶ ଶାସନ ସମୟରେ ଆଧୁନିକ ଶିକ୍ଷା ବ୍ୟବସ୍ଥାର ପ୍ରସାର ହେଲା। ସ୍ୱାଧୀନତା ପରେ ଭାରତ ଶିକ୍ଷାକୁ ଗଣତାନ୍ତ୍ରିକ ଅଧିକାର ଓ ସାମାଜିକ ବିକାଶର ମାଧ୍ୟମ ଭାବେ ଗ୍ରହଣ କଲା। ସର୍ବଶିକ୍ଷା ଅଭିଯାନ, ମଧ୍ୟାହ୍ନ ଭୋଜନ, ଶିକ୍ଷା ଅଧିକାର ଆଇନ-୨୦୦୯ ଆଦି ପଦକ୍ଷେପ ଶିକ୍ଷାର ପରିସର ବୃଦ୍ଧି କରିଥିଲା।
ତଥାପି ଅନେକ ସମସ୍ୟା ରହିଗଲା। ଗ୍ରାମାଞ୍ଚଳରେ ଶିକ୍ଷକ ଅଭାବ, ଭିତ୍ତିଭୂମିର ଅଭାବ, ଗୁଣାତ୍ମକ ଶିକ୍ଷାର ଅସମାନତା, ଆଦିବାସୀ ଅଞ୍ଚଳରେ ମାତୃଭାଷାଗତ ସମସ୍ୟା, ଆର୍ଥିକ ଅନଟନ ଯୋଗୁଁ ପାଠପଢ଼ା ଛାଡ଼ିବା ଏବଂ ଡିଗ୍ରୀ ପରେ ନିଯୁକ୍ତି ନ ପାଇବା ଭଳି ସମସ୍ୟା ଆମ ଶିକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରି ରଖିଛି।ଶିକ୍ଷାର ପ୍ରସାର ହୋଇଛି, କିନ୍ତୁ ଶିକ୍ଷାର ଗୁଣବତ୍ତା ଓ ଜୀବନ ସହିତ ତାହାର ସମ୍ପର୍କକୁ ଆହୁରି ମଜବୁତ କରିବାର ଆବଶ୍ୟକତା ରହିଛି।
୨୯ ଜୁଲାଇ ୨୦୨୦ରେ କେନ୍ଦ୍ର ସରକାର ନୂତନ ଜାତୀୟ ଶିକ୍ଷାନୀତି ଘୋଷଣା କରିଥିଲେ। ଦୀର୍ଘ ୩୪ ବର୍ଷ ପରେ ଦେଶର ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ନୀତିଗତ ପରିବର୍ତ୍ତନ ଆସିଥିଲା।
ଏହି ନୀତିର ମୂଳ ଲକ୍ଷ୍ୟ ହେଉଛି ଶିକ୍ଷାକୁ ସର୍ବଜନୀନ, ଗୁଣାତ୍ମକ, ଦକ୍ଷତାଭିତ୍ତିକ, ସୃଜନଶୀଳ ଓ ଜୀବନମୁଖୀ କରିବା।ଯାହାର ପ୍ରମୁଖ ଦିଗ ଗୁଡିକ ନିମ୍ନ ପ୍ରକାରେ ବିଚାର କରାଯାଇପାରେ।୧. ୧୦+୨ ବଦଳରେ ୫+୩+୩+୪ ଶିକ୍ଷା ଢାଞ୍ଚା: ପିଲାଙ୍କ ବୟସ ଓ ମାନସିକ ବିକାଶକୁ ଦୃଷ୍ଟିରେ ରଖି ଶିକ୍ଷାକୁ ଚାରିଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି।ମୌଳିକ ପର୍ଯ୍ୟାୟ: ୫ ବର୍ଷ (୩-୮ ବର୍ଷ),ପ୍ରସ୍ତୁତି ପର୍ଯ୍ୟାୟ: ୩ ବର୍ଷ (୮-୧୧ ବର୍ଷ),ମଧ୍ୟମ ପର୍ଯ୍ୟାୟ: ୩ ବର୍ଷ (୧୧-୧୪ ବର୍ଷ),ମାଧ୍ୟମିକ ପର୍ଯ୍ୟାୟ: ୪ ବର୍ଷ (୧୪-୧୮ ବର୍ଷ)।୨. ମାତୃଭାଷାରେ ଶିକ୍ଷା: ଅତିକମ୍ରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ, ସମ୍ଭବ ହେଲେ ଅଷ୍ଟମ ଶ୍ରେଣୀ ଓ ତା’ପରେ ମଧ୍ୟ ମାତୃଭାଷା କିମ୍ବା ଆଞ୍ଚଳିକ ଭାଷାରେ ଶିକ୍ଷାଦାନକୁ ଗୁରୁତ୍ୱ ଦିଆଯାଇଛି।୩. ଦକ୍ଷତାଭିତ୍ତିକ ଶିକ୍ଷା: ଷଷ୍ଠ ଶ୍ରେଣୀରୁ ବୃତ୍ତିଗତ ଶିକ୍ଷା, ଇଣ୍ଟର୍ଣ୍ଣସିପ୍ ଓ ହାତକାମ ମାଧ୍ୟମରେ ବାସ୍ତବ ଜୀବନର ଅନୁଭୂତି ଦେବାର ବ୍ୟବସ୍ଥା।୪. ବିଷୟ ଚୟନର ସ୍ୱାଧୀନତା: କଳା, ବିଜ୍ଞାନ ଓ ବାଣିଜ୍ୟ ମଧ୍ୟରେ କଠୋର ବିଭାଜନକୁ ହ୍ରାସ କରି ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବିଷୟ ଅଧ୍ୟୟନର ସୁଯୋଗ।୫. ଡିଜିଟାଲ ଓ ଗବେଷଣାଭିତ୍ତିକ ଶିକ୍ଷା: ଆଧୁନିକ ପ୍ରଯୁକ୍ତି, ଅନୁସନ୍ଧାନ, ନବସୃଜନ ଓ ତର୍କଶକ୍ତିର ବିକାଶ।
ଏହି ନୀତିର ଲକ୍ଷ୍ୟ ହେଉଛି ପିଲାଙ୍କୁ କେବଳ ପରୀକ୍ଷାର୍ଥୀ ନୁହେଁ, ବରଂ ଜଣେ ଦକ୍ଷ, ଆତ୍ମନିର୍ଭର ଓ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ିବା। ଯାହାକୁ ସରକାର ଶିକ୍ଷା ସଂସ୍କାର ଭାବେ ଗୁରୁତ୍ୱ ଦେଉଛନ୍ତି।
ଓଡ଼ିଶା ସରକାର ୨୦୨୫-୨୬ ଶିକ୍ଷାବର୍ଷରୁ ପର୍ଯ୍ୟାୟକ୍ରମେ ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରୀ କରିବାର ପଦକ୍ଷେପ ନେଇଛନ୍ତି। ୨୦୨୫ ଜାନୁଆରୀରେ ରାଜ୍ୟରେ ଏହାର ପ୍ରାରମ୍ଭିକ ରୂପରେଖା ଘୋଷଣା କରାଯାଇଥିଲା।ଶିଶୁ ବାଟିକା, ନିପୁଣ ଓଡ଼ିଶା, ପିଏମ୍ ଶ୍ରୀ ବିଦ୍ୟାଳୟ ଏବଂ ଓଡ଼ିଶା ପାଠ୍ୟକ୍ରମ ରୂପରେଖା ଏହି ପରିବର୍ତ୍ତନର ଅଂଶ।ଓଡ଼ିଶାର ୨୦୨୫-୨୬ ଆର୍ଥିକ ସର୍ବେକ୍ଷଣରେ ଉଲ୍ଲେଖିତ କେତେକ ତଥ୍ୟ ଆମକୁ ରାଜ୍ୟର ଶିକ୍ଷା ବ୍ୟବସ୍ଥାର ଚିତ୍ର ବୁଝିବାରେ ସାହାଯ୍ୟ କରେ।
ଓଡ଼ିଶାର ଶିକ୍ଷା କ୍ଷେତ୍ର: କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଭିତରେ ୪୫,୦୦୦
ସ୍ଥାପିତ ଶିଶୁ ବାଟିକା, ୬୧,୫୬୫
ରାଜ୍ୟର ମୋଟ ବିଦ୍ୟାଳୟ, ୮୪%
ଇଣ୍ଟରନେଟ୍ ସଂଯୋଗ ଥିବା ବିଦ୍ୟାଳୟ,୩୧,୧୮୫ ୨୦୨୫-୨୬ରେ ବିଦ୍ୟାଳୟ ଶିକ୍ଷା ବଜେଟ୍ (କୋଟି ଟଙ୍କା), ୧୭ ଆଦିବାସୀ ଭାଷାରେ ମାତୃଭାଷାଭିତ୍ତିକ ଶିକ୍ଷା, ୯.୮% ୨୦୨୪-୨୫ରେ ମାଧ୍ୟମିକ ସ୍ତରର ଡ୍ରପ୍ଆଉଟ୍ ହାର ବୋଲି ଓଡିଶା ଏକନୋମିକ ସର୍ଭେରେ ୨୦୨୫-୨୬ ତଥ୍ୟଗୁଡ଼ିକ ଉଲ୍ଲେଖିତ ରହିଛି।ଏହି ତଥ୍ୟ ଆଶା ସୃଷ୍ଟି କରୁଛି। କିନ୍ତୁ କେବଳ ବିଦ୍ୟାଳୟ ସଂଖ୍ୟା, ବଜେଟ୍ କିମ୍ବା ଇଣ୍ଟରନେଟ୍ ସଂଯୋଗ ଶିକ୍ଷାର ସଫଳତାର ମାପକ ହୋଇପାରିବ ନାହିଁ। ଜଣେ ତୃତୀୟ ଶ୍ରେଣୀର ଛାତ୍ର ନିଜ ପାଠକୁ ଭଲ ଭାବରେ ପଢ଼ିପାରୁଛି କି? ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ଗଣିତର ସାଧାରଣ ସମସ୍ୟା ସମାଧାନ କରିପାରୁଛି କି? ଜଣେ ଆଦିବାସୀ ଶିଶୁ ନିଜ ମାତୃଭାଷାରେ ଶିକ୍ଷା ବୁଝିପାରୁଛି କି? ଏହି ପ୍ରଶ୍ନଗୁଡ଼ିକ ହିଁ ପ୍ରକୃତ ମୂଲ୍ୟାୟନର ମାପକ ହେବା ଉଚିତ।
ଓଡ଼ିଶାର ଭୌଗୋଳିକ ଓ ସାଂସ୍କୃତିକ ବିବିଧତା ହେଉଛି ଏହାର ସମ୍ପଦ। କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଭଳି ଜିଲ୍ଲାର ଅନେକ ଅଞ୍ଚଳରେ ଆଦିବାସୀ ଶିଶୁମାନେ ନିଜ ମାତୃଭାଷାରେ କଥା ହୁଅନ୍ତି, କିନ୍ତୁ ବିଦ୍ୟାଳୟରେ ଅନ୍ୟ ଭାଷାରେ ପାଠ ପଢ଼ିବାକୁ ପଡ଼େ।ଏହାକୁ ହୃଦବୋଧ କରି ୨୦୦୫-୦୬ ରେ ମାଲକାନଗିରି ଜିଲ୍ଲା ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ସେହି ଅଞ୍ଚଳର ବଣ୍ଡା, ଦିଡ଼ାଇ ଓ କୋୟା ଭାଷାରେ ପ୍ରାଥମିକ ସୋପାନ ପାଇଁ ପାଠ୍ୟ ପୁସ୍ତକ ଛପାଇଥିଲେ। ତାହାକୁ ଅନ୍ୟ ଜିଲ୍ଲା ଅନୁକରଣ କରିଥିଲେ କିମ୍ବା ସେହି ସମୟର ସରକାର ଏହି ଦିଗ ପ୍ରତି ଧ୍ୟାନ ଦେଇଥିଲେ ବର୍ତ୍ତମାନ ଏହା ଅନେକାଂଶରେ ସହାୟ ହୋଇପାରିଥାନ୍ତା।ଯାହାକି ଭାଷାଗତ ଦୂରତା ଶିକ୍ଷା ପ୍ରତି ଆଗ୍ରହ କମାଇବାର ଏକ କାରଣ ହୋଇପାରେ। ତେଣୁ ମାତୃଭାଷାଭିତ୍ତିକ ଶିକ୍ଷା କେବଳ ଏକ ନୀତି ନୁହେଁ, ଏହା ସାମାଜିକ ନ୍ୟାୟର ଏକ ମାଧ୍ୟମ।ସେହିପରି ପଶ୍ଚିମ ଓଡ଼ିଶାର ସମ୍ବଲପୁରୀ ଓ ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ ଥିବା ଲୋକକଥା, ଲୋକସଂସ୍କୃତି, ଐତିହ୍ୟ ଓ ଜ୍ଞାନକୁ ପିଲାଙ୍କ ଶିକ୍ଷା ସହିତ ଯୋଡ଼ିବା ଆବଶ୍ୟକ। ଶିଶୁ ନିଜ ଭାଷା, ନିଜ ମାଟି ଓ ନିଜ ପରିବେଶକୁ ଜାଣିବା ସହିତ ବିଶ୍ୱର ଜ୍ଞାନକୁ ମଧ୍ୟ ଆହରଣ କରିବା ଉଚିତ।
ଓଡ଼ିଶାର ହଜାର ହଜାର ଯୁବକଯୁବତୀ ଉଚ୍ଚଶିକ୍ଷା ଲାଭ କରୁଛନ୍ତି। କିନ୍ତୁ ଡିଗ୍ରୀ ହାସଲ ପରେ ନିଯୁକ୍ତି ଓ ଆତ୍ମନିଯୁକ୍ତିର ସୁଯୋଗ ନ ପାଇ ଅନେକେ ଅନ୍ୟ ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି।ନୂତନ ଶିକ୍ଷାନୀତିର ବହୁବିଷୟକ ଶିକ୍ଷା, ଦକ୍ଷତା ବିକାଶ, ଇଣ୍ଟର୍ଣ୍ଣସିପ୍ ଓ ଗବେଷଣା ଭଳି ବ୍ୟବସ୍ଥା ଏହି ଅଭାବକୁ ଦୂର କରିବାରେ ସହାୟକ ହୋଇପାରେ।
ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ମଧ୍ୟ ବହୁବିଷୟକ ପାଠ୍ୟକ୍ରମ, ଦକ୍ଷତା ବିକାଶ ପାଠ୍ୟକ୍ରମ ଓ ମୂଲ୍ୟବୋଧଭିତ୍ତିକ ପାଠ୍ୟକ୍ରମ ଉପରେ ଗୁରୁତ୍ୱ ଦିଆଯାଉଛି। ୨୦୨୫-୨୬ରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଭିତ୍ତିଭୂମି ଉନ୍ନତି ପାଇଁ ୩୭୫ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିବା ଆର୍ଥିକ ସର୍ବେକ୍ଷଣରେ ଉଲ୍ଲେଖ ରହିଛି। ଏହା ସହିତ ୨୦୨୬ ଜୁନ୍ରେ ରାଜ୍ୟ ସରକାର କେଜିରୁ ପିଜି ପର୍ଯ୍ୟନ୍ତ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ସରକାରୀ ଶିକ୍ଷାନୁଷ୍ଠାନରେ ଦେୟମୁକ୍ତ ଶିକ୍ଷା ସମ୍ପର୍କିତ ‘ଜ୍ଞାନୋଦୟ-ଶିକ୍ଷାରୁ ସମୃଦ୍ଧି’ ପଦକ୍ଷେପ ଘୋଷଣା କରିଛନ୍ତି। ଏହାର କାର୍ଯ୍ୟକାରିତାରେ ଉପସ୍ଥାନ ଓ ଅନ୍ୟାନ୍ୟ ନିର୍ଦ୍ଦେଶାବଳୀ ରହିଛି। ଏହା ଆର୍ଥିକ ଦୁର୍ବଳ ପରିବାରର ପିଲାଙ୍କ ଉଚ୍ଚଶିକ୍ଷାରେ ସୁଯୋଗ ବୃଦ୍ଧି କରିବାର ଏକ ପଦକ୍ଷେପ। କିନ୍ତୁ ଏବେ ପ୍ରଶ୍ନ ଉଠୁଛି ଭବିଷ୍ୟତ: କେଉଁ ଦିଗରେ ଗତି କରିବ ଓଡ଼ିଶା?
ଓଡ଼ିଶାର ଭବିଷ୍ୟତ ଶିକ୍ଷା ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ରାଜ୍ୟରେ ଖଣିଜ ସମ୍ପଦ, ଜଙ୍ଗଲ, ଜଳସମ୍ପଦ, କୃଷି, ପର୍ଯ୍ୟଟନ, ଶିଳ୍ପ ଓ ପାରମ୍ପରିକ ହସ୍ତଶିଳ୍ପର ଅପାର ସମ୍ଭାବନା ରହିଛି। ଏହି ସମ୍ଭାବନାକୁ ଅର୍ଥନୈତିକ ସମୃଦ୍ଧିରେ ପରିଣତ କରିବା ପାଇଁ ଆବଶ୍ୟକ ଦକ୍ଷ ମାନବ ସମ୍ବଳ।
ଭବିଷ୍ୟତର ଶିକ୍ଷା ବ୍ୟବସ୍ଥାରେ କେତେକ ବିଷୟକୁ ପ୍ରାଥମିକତା ଦେବା ଜରୁରୀ।ପ୍ରଥମତଃ, ଶିକ୍ଷକଙ୍କ ଦକ୍ଷତା ବିକାଶ: ନୂତନ ଶିକ୍ଷାନୀତିର ସଫଳତା ଶିକ୍ଷକଙ୍କ ଉପରେ ନିର୍ଭରଶୀଳ। ନିୟମିତ ପ୍ରଶିକ୍ଷଣ, ଆଧୁନିକ ଶିକ୍ଷାଦାନ ପଦ୍ଧତି ଓ ଆବଶ୍ୟକ ଶିକ୍ଷକ ନିଯୁକ୍ତି ଅତ୍ୟନ୍ତ ଜରୁରୀ।ଦ୍ୱିତୀୟତଃ, ଗ୍ରାମୀଣ ଶିକ୍ଷାର ବିକାଶ: ଗାଁ ଓ ସହର ମଧ୍ୟରେ ଶିକ୍ଷାଗତ ବ୍ୟବଧାନ ହ୍ରାସ କରିବାକୁ ପଡ଼ିବ। ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଗୁଣାତ୍ମକ ଶିକ୍ଷା, ପାଠାଗାର, ଖେଳପଡ଼ିଆ ଓ ଡିଜିଟାଲ ସୁବିଧା ଉପଲବ୍ଧ ହେବା ଆବଶ୍ୟକ।
ତୃତୀୟତଃ, ଶିକ୍ଷା ସହିତ ନିଯୁକ୍ତିର ସମ୍ପର୍କ: କୃଷି, ମତ୍ସ୍ୟଚାଷ, ପଶୁପାଳନ, ଆଇଟି, ହସ୍ତଶିଳ୍ପ, ପର୍ଯ୍ୟଟନ, ସ୍ୱାସ୍ଥ୍ୟସେବା ଓ ଶିଳ୍ପ କ୍ଷେତ୍ରର ଆବଶ୍ୟକତା ଅନୁସାରେ ଦକ୍ଷତାଭିତ୍ତିକ ପାଠ୍ୟକ୍ରମ ପ୍ରସ୍ତୁତ କରିବା ଦରକାର।
ଚତୁର୍ଥତଃ, ଡ୍ରପ୍ଆଉଟ୍ ରୋକିବା: ଗରିବ, ଅନାଥ, ଦିବ୍ୟାଙ୍ଗ, ଶ୍ରମଜୀବୀ ପରିବାରର ଶିଶୁ ଏବଂ ବାଲ୍ୟବିବାହର ବିପଦରେ ଥିବା କିଶୋରୀଙ୍କ ଶିକ୍ଷା ଅଧିକାର ସୁରକ୍ଷିତ କରିବାକୁ ହେବ। ବିଦ୍ୟାଳୟ, ପରିବାର, ପଞ୍ଚାୟତ ଓ ପ୍ରଶାସନ ମିଳିତ ଭାବେ ଦାୟିତ୍ୱ ନେବା ଆବଶ୍ୟକ।ପଞ୍ଚମତଃ, ଚରିତ୍ର ଓ ମୂଲ୍ୟବୋଧର ଶିକ୍ଷା: ଆଧୁନିକ ଶିକ୍ଷା ସହିତ ମାନବିକତା, ସହନଶୀଳତା, ପରିବେଶ ସୁରକ୍ଷା, ନାରୀ ସମ୍ମାନ, ଶିଶୁ ଅଧିକାର ଓ ସାମାଜିକ ଦାୟିତ୍ୱବୋଧକୁ ମଧ୍ୟ ଗୁରୁତ୍ୱ ଦେବାକୁ ପଡ଼ିବ।ଫଳରେ ଏହାକୁ କୁହାଯାଇପାରିବ ନୂତନ ଶିକ୍ଷାନୀତିର ସଫଳତାର ବାଟ।
କୌଣସି ନୀତି କାଗଜପତ୍ରରେ ସୁନ୍ଦର ଦେଖାଗଲେ ତାହା ସଫଳ ହୋଇଯାଏ ନାହିଁ। ଏହାର ସଫଳତା ନିର୍ଭର କରେ ତୃଣମୂଳ ସ୍ତରରେ ତାହାର ପ୍ରୟୋଗ ଉପରେ।ଓଡ଼ିଶାରେ ଅନେକ ବିଦ୍ୟାଳୟ ଏବେ ମଧ୍ୟ ଆବଶ୍ୟକ ଶିକ୍ଷା ସାମଗ୍ରୀ, ପର୍ଯ୍ୟାପ୍ତ ଶିକ୍ଷକ, ବିଜ୍ଞାନାଗାର ଓ ଡିଜିଟାଲ ଭିତ୍ତିଭୂମିର ଅଭାବ ସମ୍ମୁଖୀନ ହେଉଛନ୍ତି। ଅନେକ ଅଞ୍ଚଳରେ ଇଣ୍ଟରନେଟ୍ ଓ ବିଦ୍ୟୁତ୍ର ଅନିୟମିତତା ମଧ୍ୟ ଡିଜିଟାଲ ଶିକ୍ଷାରେ ବାଧା ସୃଷ୍ଟି କରୁଛି।ଏହା ସହିତ ନୂତନ ପାଠ୍ୟକ୍ରମ ଅନୁସାରେ ଶିକ୍ଷକ ପ୍ରଶିକ୍ଷଣ, ପାଠ୍ୟପୁସ୍ତକ ପ୍ରସ୍ତୁତି, ମୂଲ୍ୟାୟନ ପଦ୍ଧତିର ପରିବର୍ତ୍ତନ ଓ ଶିକ୍ଷାର ଗୁଣବତ୍ତା ଯାଞ୍ଚ ଆବଶ୍ୟକ। ଏଥିପାଇଁ ନିୟମିତ ସାମାଜିକ ଅଡିଟ୍ ଓ ଜନସାଧାରଣଙ୍କ ଭାଗୀଦାରି ରହିବା ଦରକାର।ଏକଥା ମଧ୍ୟ ମନେ ରଖିବାକୁ ହେବ ଯେ, ଡିଜିଟାଲ ଶିକ୍ଷା କେବେହେଲେ ଜଣେ ଦକ୍ଷ ଶିକ୍ଷକଙ୍କ ବିକଳ୍ପ ହୋଇପାରିବ ନାହିଁ। ପ୍ରଯୁକ୍ତି ଶିକ୍ଷାର ସହାୟକ ହେବ, କିନ୍ତୁ ଶିକ୍ଷକ ହେଉଛନ୍ତି ଶିକ୍ଷାର ଆତ୍ମା।
ଓଡ଼ିଶାର ଭାଗ୍ୟ ପରିବର୍ତ୍ତନ କେବଳ ରାସ୍ତା, ସେତୁ, ଶିଳ୍ପ, ଖଣି କିମ୍ବା ବଡ଼ ବଡ଼ ପ୍ରକଳ୍ପ ନିର୍ମାଣ ଦ୍ୱାରା ସମ୍ଭବ ନୁହେଁ। ପ୍ରକୃତ ବିକାଶ ହେବ ସେତେବେଳେ, ଯେତେବେଳେ ରାଜ୍ୟର ପ୍ରତ୍ୟେକ ଶିଶୁ ଗୁଣାତ୍ମକ ଶିକ୍ଷା ପାଇବ, ପ୍ରତ୍ୟେକ ଯୁବକଯୁବତୀ ନିଜ ଦକ୍ଷତା ଅନୁସାରେ ରୋଜଗାର କରିବେ ଏବଂ ପ୍ରତ୍ୟେକ ପରିବାର ଶିକ୍ଷାକୁ ନିଜର ପ୍ରଥମ ପ୍ରାଥମିକତା ଭାବେ ଗ୍ରହଣ କରିବେ।ଆଜିର ଶିଶୁ ଆସନ୍ତାକାଲିର ନାଗରିକ। ତା’ର ହାତରେ କେବଳ ପୁସ୍ତକ ନୁହେଁ, ଭବିଷ୍ୟତର ଓଡ଼ିଶା ନିର୍ମାଣର ଦାୟିତ୍ୱ ମଧ୍ୟ ରହିଛି। ତେଣୁ ଶିକ୍ଷାକୁ ସରକାରୀ ଯୋଜନାର ସୀମା ମଧ୍ୟରେ ନ ରଖି ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବାକୁ ହେବ।ସରକାର ନୀତି ପ୍ରଣୟନ କରିବେ, ପ୍ରଶାସନ ତାହାକୁ କାର୍ଯ୍ୟକାରୀ କରିବ, ଶିକ୍ଷକ ଜ୍ଞାନର ଆଲୋକ ବିତରଣ କରିବେ, ଅଭିଭାବକ ପିଲାଙ୍କୁ ଉତ୍ସାହିତ କରିବେ ଏବଂ ସମାଜ ଶିକ୍ଷାର ସୁରକ୍ଷା ପାଇଁ ଆଗେଇ ଆସିବ।ଆମକୁ ଏପରି ଏକ ଓଡ଼ିଶା ଗଢ଼ିବାକୁ ହେବ, ଯେଉଁଠି ଅର୍ଥ ଅଭାବରୁ କୌଣସି ଶିଶୁର ପାଠପଢ଼ା ବନ୍ଦ ହେବ ନାହିଁ, ଭାଷାଗତ ପାର୍ଥକ୍ୟ ଯୋଗୁଁ କୌଣସି ଶିଶୁ ପଛରେ ପଡ଼ିବ ନାହିଁ ଏବଂ ଡିଗ୍ରୀ ହାସଲ କରିବା ପରେ କୌଣସି ଯୁବକ ନିଜ ଭବିଷ୍ୟତକୁ ନେଇ ନିରାଶ ହେବ ନାହିଁ।କାରଣ, ଶିକ୍ଷାରେ ନିବେଶ ହେଉଛି ଭବିଷ୍ୟତରେ ନିବେଶ। ଆଜି ଯେଉଁ ରାଜ୍ୟ ନିଜ ଶିଶୁଙ୍କ ଶିକ୍ଷାରେ ଯେତେ ଅଧିକ ଯତ୍ନ ନେବ, ଆସନ୍ତାକାଲି ସେହି ରାଜ୍ୟ ସେତେ ଅଧିକ ସମୃଦ୍ଧ ହେବ।ତେଣୁ , ନୂତନ ଶିକ୍ଷାନୀତିକୁ କେବଳ ଏକ ସରକାରୀ ଯୋଜନା ଭାବେ ନ ଦେଖି ଏହାକୁ ଶିକ୍ଷିତ, ସଚେତନ, ଦକ୍ଷ ଓ ଆତ୍ମନିର୍ଭର ଓଡ଼ିଶା ଗଠନର ଏକ ସାମୂହିକ ସଂକଳ୍ପରେ ପରିଣତ କରିବା ପାଇଁ ଆମ ପାଖରେ ଏବେ ବଡ଼ ଆହ୍ୱାନ ହୋଇ ଛିଡା ହୋଇଛି।
ପଡିଆବାହାଲ, ସମ୍ବଲପୁର
ଫୋନ :୯୪୩୭୪୦୫୪୫୫
