November 2, 2026

ଆକାଶ ଦୀପ ଆମ ସଂସ୍କୃତି,ଭକ୍ତି ଓ ପରମ୍ପରା ର ପ୍ରତୀକ

IMG-20261102-WA0124
Share

 

 

ପୁରୀ ୨/୧୧ ହୁଳହୁଳି ଧ୍ବନି ରେ କମ୍ପୁଥାଏ ଲମ୍ବା ବାଉଁଶ ରେ ଟଙ୍ଗା ହୋଇଥିବା ଆକାଶ ଦୀପ ସ୍ଥଳ।ସେଇଠି ତୁଳସୀ ଚଉରା ସ୍ଥାପନ କରି ହବିଷ୍ୟାଳୀ ମା ମାନେ ଜାଳୁଥାନ୍ତି ପ୍ରଦୀପ।ସଂଧ୍ୟା ର ଆଗମନ ହେବା କ୍ଷଣି ସବୁ ହବିଷ୍ୟାଳୀ ମାଆ ଏକାଠି ହୁଅନ୍ତି ସେଇଠି।ପ୍ରତ୍ୟେକ ଙ୍କ ମନ ଓ ହୃଦୟ ରେ ପୂର୍ବଜ ଙ୍କ ସ୍ମୃତି ର ଲହଡି।ଆଖିରେ ଢଳ ଢଳ ଜଳ ଦିବଙ୍ଗତ ଙ୍କ ସ୍ମୃତି କୁ ସ୍ମରଣ କରି।ଧିରେ ଧିରେ ଆକାଶ ମୁହାଁ ଛିଦ୍ର ଯୁକ୍ତ ମାଟି ପାତ୍ର ବା ଘଡିରେ ସାଇତା ଦୀପ।ପ୍ରତ୍ୟେକ ସଂଧ୍ୟାରେ ଏହି ଦୃଶ୍ୟ ପ୍ରତିଟି ହବିଷ୍ୟାଳୀ କେନ୍ଦ୍ର ରେ।ଦିନ ସାରା ମହାପ୍ରଭୁଙ୍କ ପାଦ ପଦ୍ମରେ ନିଜକୁ ସମର୍ପି ଦେଇଥିବା ମାଆ ମାନେ ଏକାଠି ହୁଅନ୍ତି ଚଉରା ମୂଳେ।ସେଇଠି ସଜାଡନ୍ତି ଆକାଶ ଦୀପ।ପୁଣି ଦୀପ ରେ ଅଗ୍ନି ସଂଯୋଗ କରି ଲମ୍ବା ବାଉଁଶ ର ଅଗ୍ରଭାଗ ଅଭିମୁଖେ ପ୍ରେରଣ କରନ୍ତି।

ଆକାଶ ଦୀପ କେବଳ ଏକ କ୍ଷୀଣ ଆଲୋକ ଦେଉଥିବା ଦୀପ ନୁହେଁ।ଏହା ଆମ ଓଡ଼ିଆ ସଂସ୍କୃତି, ସଂସ୍କାର, ଭକ୍ତି ଓ ପରମ୍ପରା ର ପ୍ରତୀକ।ପବିତ୍ର କାର୍ତ୍ତିକ ମାସ ରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟ ରେ ଆକାଶ ଦୀପ ଜଳା ଯାଇଥାଏ।ବିଶ୍ୱାସ କରାଯାଏ ଏହି ପବିତ୍ର ଦୀପ ର ଆଲୋକ ସେମାନ ଙ୍କୁ ସ୍ବର୍ଗ ର ପଥ ଦେଖାଇବା ସହ ଇହ ଲୋକ ରେ ଥିବା ବ୍ୟକ୍ତି ମାନ ଙ୍କୁ ଆଶୀର୍ବାଦ କରିଥାନ୍ତି।

ଦିନସାରା ହବିଷ୍ୟାଳୀ ମାଆ ମାନେ

ନାଚୁଥାନ୍ତି ହବିଷ ପୁରାଣ ର ତାଳେ ତାଳେ।ଦଳ ଦଳ ହୋଇ ବୃତ୍ତାକାରରେ ସେମାନେ ବିଭୂ ପ୍ରେମରେ ବିଭୋର ହୋଇ ନାଚୁଥାନ୍ତି।ଜଣେ ହେଉଥାନ୍ତି କୃଷ୍ଣ ମଥାରେ ମୁକୁଟ ସହ ମୟୂର ଚୁଳ ଲଗେଇ, ହାତରେ ବଂଶୀ ଧରି।ଆଉ ଜଣେ ମଥାରେ ଚୁନରୀ ପକେଇ ସାଜୁଥାନ୍ତି ରାଧାରାଣୀ।ଅନ୍ୟ ମାନେ ଗୋପ,ବୃନ୍ଦାବନ ର ସଖୀ ହୋଇ ଆଧ୍ୟାତ୍ମିକ ଭାବରେ ନିମଗ୍ନ ହୋଇ ନୃତ୍ୟ କରୁଥାନ୍ତି।ବୟସ ର ଅପରାହ୍ନ ରେ ପହଞ୍ଚି ଥିଲେ ମଧ୍ୟ ସେମାନଙ୍କ ମନରେ ନ ଥାଏ ଲଜ୍ଜା ବା ସରମର ଚିହ୍ନ।

ଏ ଚିତ୍ର ପୁରୀ ପ୍ରଶାସନ ପକ୍ଷରୁ ଆୟୋଜିତ ସମସ୍ତ ୩ ଗୋଟି ହବିଷ୍ୟାଳୀ କେନ୍ଦ୍ର ର।ବିଭିନ୍ନ ଜିଲ୍ଲାର ମା ମାନଙ୍କ ପାଇଁ ସରକାର ଙ୍କ ନିର୍ଦ୍ଦେଶ ରେ ପୁରୀ ଜିଲ୍ଲା ପ୍ରଶାସନ ର ତତ୍ବାବଧାନ ରେ ଖୋଲା ଯାଇଛି ହବିଷ୍ୟାଳୀ କେନ୍ଦ୍ର।ବୃନ୍ଦାବତୀ ନିବାସ,ମୋଚିସାହି କଲ୍ୟାଣ ମଣ୍ଡପ ଓ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ରେ ରହିଛନ୍ତି ମା ମାନେ।ସଞ୍ଜ ରୁ ସକାଳ

ଗୋଟିଏ ଚିନ୍ତା,ଗୋଟିଏ ଭାବନା।ମହାପ୍ରଭୁ ଆଉ ମହାପ୍ରଭୁ।

ଆମ ଆଖିରେ ନିଦ ନାହିଁ।ଦିନ ରେ ଯେହେତୁ ଭଜନ କୀର୍ତ୍ତନ କରି ସାମାନ୍ୟ ଜଳଖିଆ ଇତ୍ୟାଦି ଖାଇ ଆମେ ଶୋଇ ପଡିଥାଉ।ରାତି ତିନି ରୁ ଉଠି ଗାଧୁଆ ପାଧୁଆ କରି ପ୍ରସ୍ତୁତ ହୋଇ ରହିଥାଉ।ଭୋର ୪ ଟା ବାଜିବା ମାତ୍ରେ ମନ ଛଟପଟ ହୁଏ।ଆମକୁ ମନ୍ଦିର ନେବାକୁ ସ୍ବେଚ୍ଛାସେବୀ ଝିଅ ମାନେ, ପୁଅ ମାନେ ଗାଡି ସହ ହାଜିର ହେବା କ୍ଷଣି ଆମେ ଗାଡି ରେ ଚଢିଯାଉ ବୋଲି କହନ୍ତି ଏହି ହବିଷ୍ୟାଳୀ କେନ୍ଦ୍ର ମାନଙ୍କରେ ରହୁଥିବା କଟକ ବାଙ୍କୀ ର

ପ୍ରମିଳା ସାହୁ, ସୋନପୁର ର ଶାନ୍ତିଲତା ପଟ୍ଟନାୟକ, ବାରିପଦା ର ପୁଷ୍ପ ଲତା ବାସା,ସୁନ୍ଦରଗଡ ର ସବିତା ପଣ୍ଡା, ନବରଙ୍ଗପୁର ର କୁନ୍ତଳା ସାହୁ, ବାଲେଶ୍ଵର ର ସୁବାସିନୀ ଜେନା,ନୟାଗଡ଼ ର ସାବିତ୍ରୀ ଆଚାରୀ, ବରଗଡ଼ ର ଉର୍ମିଳା ନାୟକ, ଖୋର୍ଦ୍ଧା ର ଗୋଲାପ ସୁନ୍ଦରା ଓ ଅନ୍ୟ ମା ମାନେ।ଆମେ ସବୁ ବୁଢ଼ୀ ଦିଶୁଥିଲେ ବି ମହାପ୍ରଭୁଙ୍କ ଦର୍ଶନ ପାଇଁ ଗଲାବେଳେ ଆମ ଦିହରେ ଯେମିତି ବଳ ପଶିଆସେ।ବେଗି ବେଗି ପାଦରେ ଧାଇଁ ମହାପ୍ରଭୁଙ୍କ ଦର୍ଶନ କରି ଆମେ ଧନ୍ୟ ହୋଇ ଯାଉ ବୋଲି କହନ୍ତି ସେମାନେ।ସକାଳୁ ଉଠି ସେହି ଠାକୁର ଙ୍କ ନାମ ନେଇ ଆମେ ମନ୍ଦିର ଯାଉ।ଆଉ ସଞ୍ଜ ରେ ତାଙ୍କ ଉଦ୍ଦେଶ୍ୟ ରେ ଭଜନ କୀର୍ତ୍ତନ କରୁ,ଆକାଶ ଦୀପ ଜାଳୁ,ଭଜନ ପ୍ରବଚନ,ପାଲା ଇତ୍ୟାଦି ଶୁଣୁ।ସଞ୍ଜ ସକାଳେ ମହାପ୍ରଭୁଙ୍କ ନାମ ଗାଇ ଆମେ ଆମ ପରିବାର କୁ ଭୁଲି ଗଲାଣୁ।ଆମେ ଅନୁଭବ କରୁ ନାହୁଁ ଯେ ଆମେ ବୁଢ଼ୀ ହୋଇ ଯାଇଛୁ।ଆମେ କିଏ କୋଉଠୁ ଆସିଛୁ।କିନ୍ତୁ ଏତେ ମିଶିଗଲାଣୁ ଯେ ନିଜ ଭଉଣୀ ବା ସମ୍ପର୍କୀୟ ଭଳି ଲାଗୁଚି ।ସଂଧ୍ୟା ପୂର୍ବରୁ ମହାପ୍ରସାଦ ଖାଉଛୁ।ପ୍ରସାଦ ବାଣ୍ଟୁଥିବା ପୁଅ ମାନେ ବଳେଇ ବଳେଇ ଖୁଆନ୍ତି।ସମସ୍ତେ ଆମ ଦାୟିତ୍ୱ ଖୁବ ଭଲରେ ନେଉଛନ୍ତି।ନିଜେ ଜିଲ୍ଲାପାଳ ଆମ ପାଖକୁ ଆସି ଭଲ ମନ୍ଦ ବୁଝି ଯାଇଛନ୍ତି। ଅନ୍ୟ ଅଫିସର ମାନେ ପ୍ରାୟ ସବୁଦିନ ଆମ ଖବର ବୁଝୁଛନ୍ତି।ସ୍ବେଚ୍ଛାସେବୀ ମା ମାନଙ୍କ ଆଦର ଯତ୍ନର ତୁଳନା ନାହିଁ।ଯିବା କଥା ଭାବିଲା ବେଳକୁ ଛାତି ରୁ କୋହ ଉଠୁଛି ବୋଲି କୁହନ୍ତି ଏହି ହବିଷ୍ୟାଳୀ ମା ମାନେ।

ସନ୍ଧ୍ୟା ର ଆଗମନରେ ଆକାଶ କୁ ଉଠୁଥାଏ ଆକାଶ ଦୀପ।ପ୍ରତ୍ୟେକ ଟି ସଜ୍ଜଳ ଆଖି ମହାଶୂନ୍ୟ କୁ ଚାହିଁ ନୀରବ ନିବେଦନ କରୁଥାନ୍ତି ପ୍ରିୟ ପରିଜନ ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ବା ମହାପ୍ରଭୁଙ୍କୁ ଭକ୍ତି ନିବେଦନ ରେ।ଏଇ ହବିଷ୍ୟାଳୀ ମା ମାନେ ତ ଆମ ସଂସ୍କୃତି ଓ ପରମ୍ପରା ର ଜୀବନ୍ତ ଦସ୍ତାବିଜ, ସଂସ୍କାର ର ସୁରକ୍ଷା କବଚ।ଏହି ମାନେ ତ ଆଗାମୀ ପିଢି ର ଆଦର୍ଶ ଓ ମାର୍ଗଦର୍ଶକ ।ଆକାଶ ଦୀପ ଶିଖାଏ ଆଲୋକ ହେଉଛି ଜ୍ଞାନ,ଭକ୍ତି, ଶାନ୍ତି ଓ ଆଶାର ପ୍ରତୀକ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed