ଦୁର୍ନୀତିମୁକ୍ତ ପ୍ରଶାସନ ପାଇଁ ଶପଥ ନେଲେ ଜିଲ୍ଲାସ୍ତରୀୟ ଅଧିକାରୀ ସତର୍କତା ସଚେତନତା ସପ୍ତାହ ଅବସରରେ ଶପଥ ପାଠ ଓ ପୁରସ୍କାର ବିତରଣ

କୋରାପୁଟ, (ଗୁପ୍ତେଶ୍ୱର ରଥ): ଦୁର୍ନୀତିମୁକ୍ତ ସମାଜ ଗଠନ ସହ ସରକାରୀ କାର୍ଯ୍ୟାଳୟରେ ସ୍ୱଚ୍ଛତା, ସଚ୍ଚୋଟତା ଓ ଉତ୍ତରଦାୟିତ୍ୱ ବଜାୟ ରଖିବା ଲକ୍ଷ୍ୟରେ କୋରାପୁଟ ଜିଲ୍ଲାସ୍ତରୀୟ ସତର୍କତା ସଚେତନତା ସପ୍ତାହ-୨୦୨୬ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସଦ୍ଭାବନା ସଭାଗୃହଠାରେ ଦୁର୍ନୀତି ନିବାରଣ ନିମନ୍ତେ ଶପଥ ପାଠ ଓ ପୁରସ୍କାର ବିତରଣ ସମାରୋହ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମରେ ଜିଲ୍ଲାପାଳ, କୋରାପୁଟ ଆରକ୍ଷୀ ଅଧୀକ୍ଷକ ଏବଂ ଜୟପୁର ଭିଜିଲାନ୍ସ ଆରକ୍ଷୀ ଅଧୀକ୍ଷକ ଯୋଗଦେଇ ଦୁର୍ନୀତି ବିରୋଧରେ ଜନସଚେତନତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏଥିସହ ସତର୍କତା ସଚେତନତା ସପ୍ତାହ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।
ଏହି ସମାରୋହରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ସମସ୍ତେ ଦୁର୍ନୀତି ବିରୋଧରେ ଏକଜୁଟ ହୋଇ ସଚ୍ଚୋଟତା, ସ୍ୱଚ୍ଛତା ଓ ନିରପେକ୍ଷତାର ସହ ନିଜ ନିଜ ଦାୟିତ୍ୱ ତୁଲାଇବା ସହ ଦୁର୍ନୀତିମୁକ୍ତ ପ୍ରଶାସନ ଗଠନ ପାଇଁ ଶପଥ ନେଇଥିଲେ।
ଦୁର୍ନୀତି ନିବାରଣ କେବଳ ପ୍ରଶାସନର ଦାୟିତ୍ୱ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କ ସାମୂହିକ ଦାୟିତ୍ୱ। ଏଥିପାଇଁ ସମାଜର ପ୍ରତ୍ୟେକ ସ୍ତରରେ ସଚେତନତା ଓ ସହଯୋଗ ଆବଶ୍ୟକ ବୋଲି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା।
