ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା
କୋରାପୁଟ, ୨/୧୧: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମୁରାସୁର ସମ୍ଭାବ୍ୟ ପ୍ରଭାବକୁ ନେଇ କୋରାପୁଟ ଜିଲ୍ଲାରେ ପ୍ରଶାସନିକ ତତ୍ପରତା ବୃଦ୍ଧି ପାଇଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଥିବାବେଳେ ପବନ ଓ ପ୍ରବଳ ବର୍ଷାର ଆଶଙ୍କା ରହିଛି। ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି।
ଜିଲ୍ଲାରେ ଏପର୍ଯ୍ୟନ୍ତ ପ୍ରାୟ ୫୦୦ ଜଣଙ୍କୁ ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ମୋଟ ୫୦୬ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଥିବାବେଳେ ୧୨୦ଟି ବିପଦପ୍ରବଣ ଗ୍ରାମ ଓ ଜନବସତି ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି।
ଏଥିସହ ୯୪ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷା ଦୃଷ୍ଟିରୁ ମା’ ଗୃହକୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲାର ୧୪ଟି ବ୍ଲକ୍ରେ ଅଗ୍ନିଶମ ବିଭାଗର ୧୪ଟି ଟିମ୍କୁ ନିୟୋଜିତ କରାଯାଇଛି। ଏହା ସହ ଓଡ୍ରାଫ୍ ଓ ଏନ୍ଡିଆର୍ଏଫ୍ ଟିମ୍ ମଧ୍ୟ ମୁତୟନ ପାଇଁ ଆସୁଛନ୍ତି। ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟିଆ କାର୍ଯ୍ୟ କରୁଛି। (ଗୁପ୍ତେଶ୍ୱର ରଥ କୋରାପୁଟ)
