ଜାନୁଆରୀ ୧୭ରୁ ତୃତୀୟ ଶ୍ରୀକ୍ଷେତ୍ର ମକର ମହୋତ୍ସବ

ପୁରୀ: ତୃତୀୟ ଶ୍ରୀକ୍ଷେତ୍ର ମକର ମହୋତ୍ସବ ୨୦୨୭ ନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକ ଏବଂ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ୟୁଥ ହଷ୍ଟେଲଠାରେ ଅନୁଷ୍ଠିତ ହୋଇଯାଇଛି | ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଶ୍ରୀ ମଧୁସୂଦନ ସିଂହାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ତୃତୀୟ ମକର ମହୋତ୍ସବର ରୂପରେଖ ସମ୍ପର୍କରେ ବ୍ୟାପକ ଆଲୋଚନା କରାଯାଇ କାର୍ଯ୍ୟକ୍ରମ ଚୂଡ଼ାନ୍ତ କରାଯାଇଥିଲା | ଏହି ମହୋତ୍ସବ ଜାନୁଆରୀ ୧୭ ତାରିଖ ଠାରୁ ତାଳବଣିଆ ପଡ଼ିଆଠାରେ ବ୍ୟାପକ ରୂପରେ ଆୟୋଜନ କରାଯିବ ଏବଂ ଏଥିରେ ବିଦ୍ୟାଳୟ ଛାତ୍ରଛାତ୍ରୀ ଏବଂ ସାଧାରଣ ପ୍ରତିଯୋଗୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ | ମହୋତ୍ସବରେ ପ୍ରତ୍ୟହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଶତାଧିକ ଷ୍ଟଲକୁ ନେଇ ମେଳା ଆୟୋଜିତ ହେବ | ଏଥିରେ ସୁଭଦ୍ରା ଶକ୍ତି ମା’ ମାନଙ୍କୁ ବିଶେଷ ଗୁରୁତ୍ଵ ପ୍ରଦାନ କରାଯିବ | ଚଳିତ ବର୍ଷଠାରୁ ପ୍ରଥମ କରି ଏକ ଡଙ୍ଗାଚାଳନା ପ୍ରତିଯୋଗିତା ଏବଂ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହେବ ଏବଂ ମହୋତ୍ସବ ଅବସରରେ ଏକ ସ୍ମରଣିକା ମଧ୍ୟ ପ୍ରକାଶ ପାଇବ | ମହୋତ୍ସବର ସଫଳତା ପାଇଁ ସମାଜର ସବୁବର୍ଗଙ୍କ ସହଯୋଗ କାମନା କରାଯିବା ସହ ଏହାର ବ୍ୟାପକ ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନିଆଯିବାକୁ ଅନୁଷ୍ଠାନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି | ଏହି ବୈଠକରେ ମଞ୍ଚାସୀନ ଅତିଥି ଭାବେ ସର୍ବଶ୍ରୀ ରବିନାରାୟଣ ଦାସ, ଦିଗଦର୍ଶନ ପଟ୍ଟନାୟକ, ସଂଜୀବ ମୁଖାର୍ଜୀ, ଉମାକାନ୍ତ ନାୟକ, ବିରଞ୍ଚିନାରାୟଣ ମିଶ୍ର, ହରିହର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ | ତାଳବଣିଆ ଉନ୍ନୟନ ପରିଷଦ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସର୍ବଶ୍ରୀ ରାଜେଶ କୁମାର ନନ୍ଦ, ଶିବପ୍ରସାଦ ମହାନ୍ତି, ସଂଗ୍ରାମ କେଶରୀ ମହାପାତ୍ର, ନୀହାର ରଂଜନ ପତି, ବିଷ୍ଣୁଚରଣ ସ୍ଵାଇଁ, ବିଶୁଦ୍ଧାନନ୍ଦ ଜେନା, ବିକାଶ ନାୟକ, ସଂଜୟ ଦାସ, ଶ୍ରୀମନ୍ତ କୁମାର ସାହୁ, ତନୁଜା ମହାନ୍ତି ଏବଂ ଅନ୍ୟାନ୍ୟ ପଦାଧିକାରୀ ଓ ସଭ୍ୟବୃନ୍ଦ ଉପସ୍ଥିତ ରହି ସଭାକାର୍ଯ୍ୟ ପରିଚାଳନା କରିଥିଲେ | ସର୍ବଶେଷରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ରାଜେଶ କୁମାର ନନ୍ଦ ଧନ୍ୟବାଦାର୍ପଣ କରିଥିଲେ |
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
