November 1, 2026

ଶ୍ରୀ ଜଗନ୍ନାଥ ସଂସ୍କୃତି ଜ୍ଞାନ ପରୀକ୍ଷା ଅନୁଷ୍ଠିତ 

IMG-20261101-WA0051
Share

 

କେନ୍ଦୁଝର ଜିଲ୍ଲାରେ ୨୨୪୫ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ

 

ହାଟଡିହି ତା ୧/୧୧(ମନମୋହନ ନାୟକ) : ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀ, ପୁରୀ ପକ୍ଷରୁ ରବିବାର ଶ୍ରୀ ଜଗନ୍ନାଥ ସଂସ୍କୃତି ଜ୍ଞାନ ପରୀକ୍ଷା-୨୦୨୬ ଦେଶବିଦେଶର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କେନ୍ଦୁଝର ଜିଲ୍ଲାର ହାଟଡିହି, ହରିଚନ୍ଦନପୁର, ତେଲକୋଇ, ଘସିପୁରା ଓ ଆନନ୍ଦପୁର ବ୍ଲକର ପ୍ରାୟ ୨୨୪୫ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଭାଗ ନେଇଥିଲେ। ହାଟଡିହି ବ୍ଲକର ସରକାରୀ ଉଚ୍ଚ ବିଦ୍ୟାଳୟ, ହାଟଡିହି, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଶାସଙ୍ଗ, ବରାହୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବରାହୀ ସରକାରୀ ଉଚ୍ଚ ବିଦ୍ୟାଳୟ, ବଞ୍ଚୋ ସମେତ ବିଭିନ୍ନ ବିଦ୍ୟାଳୟରେ ଏହି ପରୀକ୍ଷା ଆୟୋଜିତ ହୋଇଥିଲା। ପ୍ରଥମେ ମହାପ୍ରଭୁଙ୍କ ନିକଟରେ ଦୀପ ପ୍ରଜ୍ଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ ପରେ ଗୀତାର ପଞ୍ଚଦଶ ଅଧ୍ୟାୟ ପାଠ କରାଯାଇ ପରୀକ୍ଷା ଆରମ୍ଭ ହୋଇଥିଲା।

ପରୀକ୍ଷାରେ ମହାପ୍ରଭୁଙ୍କ ଦୈନିକ ନୀତିକାନ୍ତି, ଭୋଗ ଓ ମହାପ୍ରସାଦ, ବେଶ ଓ ଅଳଙ୍କାର, ଶ୍ରୀମନ୍ଦିରର ପରମ୍ପରା, ଯାନିଯାତ୍ରା, ପର୍ବପର୍ବାଣୀ, ଅନବସର, ରଥ ନିର୍ମାଣ, ସେବା ଓ ସେବକ, ଭକ୍ତଙ୍କ ଚରିତ୍ର ଏବଂ ମନ୍ଦିର ସ୍ଥାପତ୍ୟ କଳା ଆଦି ବିଷୟରେ ୫୦ଟି ପ୍ରଶ୍ନ ରହିଥିଲା। ଯୁବପିଢ଼ିଙ୍କ ମଧ୍ୟରେ ମହାପ୍ରଭୁ ଜଗନ୍ନାଥଙ୍କ ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଜ୍ଞାନ ବୃଦ୍ଧି କରିବା ଏହି ପରୀକ୍ଷାର ମୁଖ୍ୟ ଉଦ୍ଦେଶ୍ୟ। ଜିଲ୍ଲା ପରୀକ୍ଷା ନିୟନ୍ତ୍ରକ ତପନ କୁମାର ନାୟକଙ୍କ ସୂଚନା ଅନୁଯାୟୀ, ପରୀକ୍ଷାର ସୁପରିଚାଳନା ପାଇଁ ଏକ ଜିଲ୍ଲାସ୍ତରୀୟ ସ୍କ୍ୱାଡ୍‌ ଗଠନ କରାଯାଇଥିଲା। ସର୍ବାଧିକ ନମ୍ବର ରଖିଥିବା ତିନିଜଣ ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ ପରୀକ୍ଷାରେ ଭାଗ ନେବାକୁ ମନୋନୀତ ହେବେ। ହାଟଡିହି ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜନ କୁମାର ଘଡ଼େଇ, ବରାହୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରତାପ ଚନ୍ଦ୍ର ବେହେରା, ଶାସଙ୍ଗ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଧାକୃଷ୍ଣ ପତି ଓ ନବଘନ ନାୟକ ପ୍ରମୁଖ ଦୀପ ପ୍ରଜ୍ଜ୍ୱଳନ କରି ପରୀକ୍ଷାର ଶୁଭାରମ୍ଭ କରିଥିଲେ। ଚାରଣ ତୁଷାର କୁମାର ସା’ଙ୍କ ସମେତ କେନ୍ଦୁଝର ଜିଲ୍ଲା ଚାରଣ ଗୋଷ୍ଠୀର ସଦସ୍ୟ ଓ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀମାନେ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ।

ଏହି ପରୀକ୍ଷାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିବା ବେଳେ ଏହାକୁ ରାଜ୍ୟର ସମସ୍ତ ଅଞ୍ଚଳରେ ଆୟୋଜନ କରିବା ପାଇଁ ଜଗନ୍ନାଥପ୍ରେମୀ, ଶିକ୍ଷାବିତ୍‌ ଓ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।