November 2, 2026

ଉମରକୋଟ ରେ ନିଜ ପ୍ରତିଭା ବଳରେ ସ୍ୱାବଲମ୍ବୀ ରାକେଶ: ରିଲିଫ୍ ଆର୍ଟ ଜରିଆରେ କରୁଛନ୍ତି ମାସିକ ଭଲ ରୋଜଗାର……….

IMG-20261102-WA0097
Share

 

 

ଉମରକୋଟ :-(ଏମ୍.ଦୀନା°ଶୁ ଆଚାରୀ)

ଇଚ୍ଛାଶକ୍ତି ଓ ଦୃଢ଼ ଆତ୍ମବିଶ୍ୱାସ ରହିଲେ କୌଣସି ପ୍ରଶିକ୍ଷଣ କିମ୍ବା ଗୁରୁ ବିନା ମଧ୍ୟ ଜଣେ ବ୍ୟକ୍ତି ନିଜ ପ୍ରତିଭା ବଳରେ ସଫଳତାର ଶୀର୍ଷରେ ପହଞ୍ଚିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ ଅନ୍ତର୍ଗତ ବଡ଼କୁମାରୀ ପଞ୍ଚାୟତର ଗୁରୁଚାନ୍ଦ ମାର୍ଗ ସାହିର ଯୁବ ପ୍ରତିଭା ରାକେଶ ବିଶ୍ୱାସ। କୌଣସି ବାହ୍ୟ ପ୍ରଶିକ୍ଷଣ କିମ୍ବା ୟୁଟ୍ୟୁବ୍‌ର ସହାୟତା ନ ନେଇ ସମ୍ପୂର୍ଣ୍ଣ ନିଜ ପ୍ରଚେଷ୍ଟାରେ ସେ ଆଜି ଜଣେ ସଫଳ ରିଲିଫ୍ ଆର୍ଟିଷ୍ଟ ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି। ସୂଚନା ଅନୁଯାୟୀ ବଡ଼କୁମାରୀ ଗ୍ରାମର ନିଖିଲ ବିଶ୍ୱାସ ଓ ମିନା ବିଶ୍ୱାସଙ୍କ ପରିବାରରେ ସ୍ୱାମୀ, ସ୍ତ୍ରୀ, ଜଣେ ଝିଅ ଓ ପୁଅଙ୍କୁ ନେଇ ହସଖୁସିର ସଂସାର। ପେସାରେ ଜଣେ ଚାଷୀ ନିଖିଲ ବିଶ୍ୱାସଙ୍କୁ ଘର କାମରେ ତାଙ୍କ ସାନପୁଅ ରାକେଶ ବିଶ୍ୱାସ ସହଯୋଗ କରିଥାନ୍ତି। ଝିଅର ବିବାହ ପରେ ରାକେଶ ନିଜର ପାଠପଢ଼ା ଶେଷ କରି ବାପାଙ୍କୁ କୃଷି କାର୍ଯ୍ୟରେ ସାହାଯ୍ୟ କରିବା ସହ ଚିତ୍ରାଙ୍କନ କରି ନିଜର ସମୟ ବିତାଉଥିଲେ। ୨୫ ବର୍ଷ ବୟସ ରାକେଶ ଯୁକ୍ତ ତିନି ଓ ପରେ ବି.ଏଡ୍. (B.Ed) ଶିକ୍ଷା ସମାପ୍ତ କରିବା ପରେ ଚିତ୍ରାଙ୍କନ ପ୍ରତି ଅଧିକ ଧ୍ୟାନ ଦେଇଥିଲେ। ଗତ ୬ ମାସ ହେବ ସେ ‘ରିଲିଫ୍ ଆର୍ଟ’ (Relief Art) କ୍ଷେତ୍ରରେ ନିଜକୁ ନିୟୋଜିତ କରିଛନ୍ତି। ବିଶେଷ କଥା ହେଉଛି, ଏହି ସୁନ୍ଦର କାରୁକାର୍ଯ୍ୟ ଶିଖିବା ପାଇଁ ସେ କାହାରିଠାରୁ କୌଣସି ତାଲିମ ନେଇନାହାନ୍ତି କିମ୍ବା ୟୁଟ୍ୟୁବ୍ ଭିଡିଓ ମଧ୍ୟ ଦେଖିନାହାନ୍ତି। କେବଳ ନିଜର ନିର୍ମଳ ଚିନ୍ତାଧାରା ଓ ସୃଜନଶୀଳତାକୁ ପୁଞ୍ଜି କରି ସେ ଏହି କଳାକୁ ଆପଣାଇଛନ୍ତି।ବର୍ତ୍ତମାନ ଘରେ ରହି ହିଁ ସେ ଏହି କାମ କରି ମାସିକ ୧୮ରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି। ତାଙ୍କ ହାତତିଆରି ଏହି ମନୋମୁଗ୍ଧକର କାରୁକାର୍ଯ୍ୟ ପାଇଁ କେବଳ ନିଜ ଜିଲ୍ଲା ନୁହେଁ, ବରଂ ବିଭିନ୍ନ ପଡ଼ୋଶୀ ରାଜ୍ୟରୁ ମଧ୍ୟ ଅର୍ଡର ଆସୁଥିବା ରାକେଶ ପ୍ରକାଶ କରିଛନ୍ତି। କାମ ପାଇଁ ଆବଶ୍ୟକୀୟ ସମସ୍ତ ସାମଗ୍ରୀ (ମେଟେରିଆଲ୍) ଭୁବନେଶ୍ୱରରୁ ଅଣାଯାଇ ଏହି ସୁନ୍ଦର କଳାକୃତିଗୁଡ଼ିକ ପ୍ରସ୍ତୁତ କରାଯାଉଛି।ଭବିଷ୍ୟତରେ ଉମରକୋଟ ଅଞ୍ଚଳର ଆଗ୍ରହୀ ଯୁବକଯୁବତୀମାନଙ୍କୁ ଏହି କାରୁକାର୍ଯ୍ୟର ଅନଲାଇନ୍ ଶିକ୍ଷା ପ୍ରଦାନ କରିବା ପାଇଁ ରାକେଶ ଗଭୀର ଆଗ୍ରହ ପ୍ରକାଶ କରିଛନ୍ତି। ଜଣେ ସାଧାରଣ ଚାଷୀ ପରିବାରର ପୁଅ ହୋଇ ମଧ୍ୟ ନିଜର ଦୃଢ଼ ଇଚ୍ଛାଶକ୍ତି ବଳରେ ରାକେଶ ଯେପରି ସ୍ୱାବଲମ୍ବୀ ହୋଇପାରିଛନ୍ତି, ତାହା ଆଜିର ଯୁବପିଢ଼ି ପାଇଁ ଏକ ପ୍ରେରଣାର ସ୍ରୋତ ପାଲଟିଛି।

You may have missed