ହଟିଲା ଜବରଦଖଲ, ହେଲା ବିକଳ୍ପ ବ୍ୟବସ୍ଥା ରାସ୍ତା ଓ ଫୁଟପାଥ ଅବରୋଧମୁକ୍ତ ପାଇଁ ଏସଏମସିର ପଦକ୍ଷେପ ଉଠା ଦୋକାନୀଙ୍କୁ ୫ଟି ଚିହ୍ନଟ ସ୍ଥାନରେ ଥଇଥାନ
ସମ୍ବଲପୁର, ତା. ୨୨/୯ : ସମ୍ବଲପୁର ମହାନଗର ନିଗମ ପକ୍ଷରୁ ସହରର ରାସ୍ତା ଓ ଫୁଟପାଥକୁ ଅବରୋଧମୁକ୍ତ କରିବା ଦିଗରେ ଆଉ ଏକ ପଦକ୍ଷେପ ନିଆଯାଇଛି। କଲେକ୍ଟରେଟ୍ କାର୍ଯ୍ୟାଳୟ ନିକଟରୁ ଧୁତୁରାପଡ଼ା–ଗୁଜୁରାଟୀ କଲୋନୀ ପ୍ରବେଶ ପଥ ପର୍ଯ୍ୟନ୍ତ ରାସ୍ତା ଓ ଫୁଟପାଥରେ ଅବରୋଧ ସୃଷ୍ଟି କରି ବ୍ୟବସାୟ କରୁଥିବା ଉଠା ଦୋକାନୀମାନଙ୍କୁ ଚିହ୍ନଟ କରି ବିକଳ୍ପ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ରାସ୍ତା ଓ ଫୁଟପାଥକୁ ଅବରୋଧମୁକ୍ତ ରଖିବା, ପଥଚାରୀଙ୍କ ନିରାପଦ ଓ ଅବାଧ ଚଳାଚଳ ସୁନିଶ୍ଚିତ କରିବା ସହିତ ଯାନବାହନର ସୁଗମ ଯାତାୟାତ ପାଇଁ ଏହି ପଦକ୍ଷେପ ନିଆଯାଇଛି। ସର୍ବସାଧାରଣ ରାସ୍ତା ଓ ଫୁଟପାଥରେ ଅନଧିକୃତ ଭାବେ ବ୍ୟବସାୟ ଯୋଗୁଁ ସୃଷ୍ଟି ହେଉଥିବା ଯାତାୟାତ ସମସ୍ୟା ଓ ପଥଚାରୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଏସଏମସି ପକ୍ଷରୁ ଏହି ଅଭିଯାନ ହୋଇଛି।ତେବେ ଉଚ୍ଛେଦ ପ୍ରକ୍ରିୟା ସମୟରେ ଉଠା ଦୋକାନୀଙ୍କ ଜୀବିକା ପ୍ରତି ମଧ୍ୟ ପ୍ରଶାସନ ସମ୍ବେଦନଶୀଳ ଆଭିମୁଖ୍ୟ ଗ୍ରହଣ କରିଛି। ସ୍ଥାନାନ୍ତରଣ ପୂର୍ବରୁ ଦୋକାନୀମାନଙ୍କ ସହ ଏକାଧିକ ଥର ଆଲୋଚନା କରାଯାଇଥିଲା। ଏଥିସହ ପ୍ରାୟ ୧୦ରୁ ୧୫ ଦିନ ଧରି ମାଇକ୍ ଯୋଗେ ଘୋଷଣା କରାଯାଇ ନିର୍ଦ୍ଧାରିତ ସ୍ଥାନକୁ ଯିବା ପାଇଁ ଅନୁରୋଧ ସହ ସଚେତନ କରାଯାଇଥିଲା।
୫ଟି ସ୍ଥାନରେ ବିକଳ୍ପ ବ୍ୟବସ୍ଥା
ଉଠା ଦୋକାନୀମାନେ ଯେପରି ନିଜର ଜୀବିକା ଜାରି ରଖିପାରିବେ, ସେଥିପାଇଁ ଏସଏମସି ପକ୍ଷରୁ ବିଭିନ୍ନ ଚିହ୍ନଟ ସ୍ଥାନରେ ବିକଳ୍ପ ବ୍ୟବସ୍ଥା କରାଯାଇଛି। ସାହୁ କଲୋନୀ ଭେଣ୍ଡିଂ ଜୋନ୍,କୁମ୍ଭାରପଡ଼ା ଗଳି, ପିପିଲାନି ସୁଇଟ୍ସ ଗଳି, ସରକାରୀ ବସ୍ଷ୍ଟାଣ୍ଡ ଭେଣ୍ଡିଂ ଜୋନ୍ ଓ ରାମସାଗର ବନ୍ଧ ପଛପଟ ଅଞ୍ଚଳରେ ଏଣିକି ବଜାର ବସିବ ବୋଲି ଏସଏମସି ପକ୍ଷରୁ କୁହାଯାଇଛି।ଏହି ପଦକ୍ଷେପର ଉଦ୍ଦେଶ୍ୟ କେବଳ ଅବରୋଧ ହଟାଇବା ନୁହେଁ, ବରଂ ପଥଚାରୀଙ୍କ ସୁରକ୍ଷିତ ଚଳାଚଳ, ଯାନବାହନର ସୁଗମ ଯାତାୟାତ ଏବଂ ଉଠା ଦୋକାନୀଙ୍କ ଜୀବିକା ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଏହାର ମୁଖ୍ୟ ଲକ୍ଷ୍ୟ।ଆଗାମୀ ଦିନରେ ମଧ୍ୟ ଏସଏମସି ଅଞ୍ଚଳର ବିଭିନ୍ନ ସ୍ଥାନରେ ରାସ୍ତା, ଫୁଟପାଥ ଓ ସର୍ବସାଧାରଣ ସ୍ଥାନକୁ ଅବରୋଧମୁକ୍ତ କରିବା ପାଇଁ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ପକ୍ଷରୁ ପର୍ଯ୍ୟାୟକ୍ରମେ ଅଭିଯାନ ଜାରି ରହିବ।ଏହି ଅଭିଯାନକୁ ସଫଳ କରିବା ପାଇଁ ସମ୍ବଲପୁରବାସୀ, ଉଠା ଦୋକାନୀ, ବ୍ୟବସାୟୀ ଓ ବୁଦ୍ଧିଜୀବୀ ମହଲର ସହଯୋଗ ଲୋଡ଼ିଛି ମହାନଗର ନିଗମ। ସମସ୍ତଙ୍କ ସହଯୋଗରେ ସ୍ୱଚ୍ଛ, ସୁନ୍ଦର, ସୁରକ୍ଷିତ ଓ ଅବରୋଧମୁକ୍ତ ସମ୍ବଲପୁର ଗଠନ ଦିଗରେ ଏହି ପଦକ୍ଷେପ ଏକ ସକାରାତ୍ମକ ପ୍ରୟାସ ବୋଲି କୁହାଯାଇଛି।
