September 22, 2026

ରୋଟାରୀ କ୍ଲବ୍ ଅଫ୍ ସମ୍ବଲପୁର ଗ୍ରେଟରର ନୂଆଁଖାଇ ଭେଟଘାଟ ପରମ୍ପରା, ଭାଇଚାରା ଓ ଆତ୍ମୀୟତାରେ ଉତ୍ସବମୁଖର ହେଲା ଆୟୋଜନ

IMG-20260922-WA0005
Share

 

ସମ୍ବଲପୁର,୨୨. ୦୯: ପଶ୍ଚିମ ଓଡ଼ିଶାର ଗଣପର୍ବ ପବିତ୍ର ନୂଆଁଖାଇ ଅବସରରେ ରୋଟାରୀ କ୍ଲବ୍ ଅଫ୍ ସମ୍ବଲପୁର ଗ୍ରେଟର ପକ୍ଷରୁ ଏକ ଭବ୍ୟ ଓ ଆତ୍ମୀୟତାପୂର୍ଣ୍ଣ ‘ନୂଆଁଖାଇ ଭେଟଘାଟ’ ଆୟୋଜିତ ହୋଇଯାଇଛି। ନୂଆଁଖାଇର ମହାନ ପରମ୍ପରା, ଭାଇଚାରା, ସାମାଜିକ ଏକତା ଓ ପରସ୍ପର ସମ୍ପର୍କର ମିଠାସକୁ ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଭେଟଘାଟ ଉତ୍ସବମୁଖର ପରିବେଶ ସୃଷ୍ଟି କରିଥିଲା।

 

କ୍ଲବ୍‌ର ସଭାପତି ରୋଟାରିଆନ୍ ଜିଜି ଜୋସେଫଙ୍କ ନେତୃତ୍ୱ ଏବଂ ସମ୍ପାଦକ ରୋଟାରିଆନ୍ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସମନ୍ୱୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରୋଟାରୀ ସଦସ୍ୟ, ସେମାନଙ୍କ ପରିବାରବର୍ଗ, ଅତିଥି ଓ ଶୁଭେଚ୍ଛୁମାନେ ଉତ୍ସାହର ସହ ଯୋଗଦେଇଥିଲେ। ସମସ୍ତେ ପରସ୍ପରକୁ ନୂଆଁଖାଇର ଶୁଭେଚ୍ଛା ଓ ‘ଜୁହାର’ ଜଣାଇ ଏହି ମହାନ ପର୍ବର ଆନନ୍ଦ ବାଣ୍ଟିଥିଲେ।

 

କାର୍ଯ୍ୟକ୍ରମର ଶୁଭାରମ୍ଭ ଦୀପ ପ୍ରଜ୍ଜ୍ୱଳନରୁ ହୋଇଥିଲା। ପରେ ବିଭିନ୍ନ ନୂଆଁଖାଇ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ବଲପୁରୀ କଳା, ସଂସ୍କୃତି ଓ ପରମ୍ପରାର ଝଲକ ପ୍ରଦର୍ଶିତ ହୋଇଥିଲା। ରୋଟାରୀ ସଦସ୍ୟମାନେ ପାରମ୍ପରିକ ସମ୍ବଲପୁରୀ ପୋଷାକ ପରିଧାନ କରି ଯୋଗଦେଇଥିବାରୁ ସମଗ୍ର ପରିବେଶ ନୂଆଁଖାଇର ରଙ୍ଗ ଓ ଆନନ୍ଦରେ ଭରିଯାଇଥିଲା।ନୂଆଁଖାଇ କେବଳ ନବାନ୍ନ ଭକ୍ଷଣର ପର୍ବ ନୁହେଁ, ବରଂ ଏହା ମାଟି, ଚାଷୀ, ପରମ୍ପରା ଓ ସମାଜ ସହ ମଣିଷର ନିବିଡ଼ ସମ୍ପର୍କର ଏକ ଅନନ୍ୟ ପ୍ରତୀକ। ଏହି ଭାବନାକୁ ଆହୁରି ସୁଦୃଢ଼ କରିବା ସହ ସମସ୍ତଙ୍କ ମଧ୍ୟରେ ଏକତା ଓ ଆତ୍ମୀୟତାର ଭାବନା ବଢ଼ାଇବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଏହି ଅବସରରେ ଅତିଥି ଓ ସଦସ୍ୟମାନଙ୍କ ପାଇଁ ବିଭିନ୍ନ ପାରମ୍ପରିକ ଦେଶୀ ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା। ସମସ୍ତେ ଏକାଠି ହୋଇ ପାରମ୍ପରିକ ଖାଦ୍ୟର ଆନନ୍ଦ ନେବା ସହ ନୂଆଁଖାଇର ସାମାଜିକ ଓ ସାଂସ୍କୃତିକ ମହତ୍ତ୍ୱକୁ ସ୍ମରଣ କରିଥିଲେ।କାର୍ଯ୍ୟକ୍ରମ ଶେଷରେ ଏହାକୁ ସଫଳ ଓ ସୁନ୍ଦର ଭାବେ ଆୟୋଜନ କରିବାରେ ସହଯୋଗ କରିଥିବା ସମସ୍ତ ରୋଟାରୀ ସଦସ୍ୟ, ପରିବାରବର୍ଗ, ଅତିଥି, ଶୁଭେଚ୍ଛୁ ଏବଂ ନୂଆଁଖାଇ ଭେଟଘାଟ କମିଟିର ସମସ୍ତ ସଦସ୍ୟଙ୍କ ପ୍ରତି କ୍ଲବ୍ ପକ୍ଷରୁ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରାଯାଇଥିଲା।

You may have missed