August 11, 2026

ଛାତରୁ ଗଳୁଛି ପାଣି, ଭିଜୁଛି ପାଠ୍ୟପୁସ୍ତକ ବିପଦସଂକୁଳ ବିଇଓ କାର୍ଯ୍ୟାଳୟ 

IMG-20260811-WA0063
Share

 

 

ହାଟଡିହି ତା ୧୧/୮(ମନମୋହନ ନାୟକ) : ବିପଦସଂକୁଳ ଅବସ୍ଥାରେ ରହିଛି ହାଟଡିହି ବ୍ଲକ୍ ଶିକ୍ଷା ଅଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟ | ବର୍ଷା ହେଲେ ଛାତରୁ ପାଣି ଗଳୁଛି। କାମ ବାଧାପ୍ରାପ୍ତ ହେବା ସହ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଓ ପାଠ୍ୟପୁସ୍ତକ ଭିଜି ନଷ୍ଟ ହେବାର ଆଶଙ୍କା ରହିଛି । କାର୍ଯ୍ୟାଳୟର ସଭାଗୃହରେ ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟପୁସ୍ତକ ରଖାଯାଇଛି । ବର୍ଷାପାଣିରେ ସେସବୁ ଓଦା ହୋଇଯାଇଛି। ସେହିପରି ବିଇଓ ଓ ଏବିଇଓଙ୍କ କୋଠରିରେ ପାଣି ଗଳିବା ଯୋଗୁଁ ଗୁରୁତ୍ବପୂର୍ଣ୍ଣ ଫାଇଲ ଓ କାଗଜପତ୍ର ଓଦା ହେଉଛି କର୍ମଚାରୀମାନେ ଜରିପାଲ ଘୋଡ଼ାଇ ରଖିଛନ୍ତି । ଏହି କୋଠାଟି ୧୯୯୮ରେ ଡିପିଇପି କାର୍ଯ୍ୟାଳୟ ଭାବେ ନିର୍ମାଣ ହୋଇଥିଲା । ପରବର୍ତ୍ତୀ ସମୟରେ ସର୍ବଶିକ୍ଷା ଅଭିଯାନ ଏବଂ ବର୍ତ୍ତମାନ ସମଗ୍ର ଶିକ୍ଷା ଅଭିଯାନର କାର୍ଯ୍ୟାଳୟ ଏଠାରେ ଚାଲୁଛି। ବହୁବର୍ଷ ଧରି ମରାମତି ହୋଇନଥିବାରୁ କୋଠାଟି ଜରାଜୀର୍ଣ୍ଣ ହୋଇପଡ଼ିଛି କାର୍ଯ୍ୟାଳୟରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଏହା ଚିନ୍ତାର କାରଣ ହୋଇଛି। କୋଠାର ସ୍ଥିତି ଦେଖିଲେ ଭବିଷ୍ୟତରେ କୌଣସି ଅଘଟଣ ଘଟିବାର ଆଶଙ୍କା ରହିଛି। କାର୍ଯ୍ୟାଳୟ ଗୃହ ମରାମତି କିମ୍ବା ନୂତନ ଗୃହ ନିର୍ମାଣ ପାଇଁ ସ୍ଥାନୀୟ ଜନପ୍ରତିନିଧି, ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ବ୍ଳକ୍ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯାଇଛି। କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଶିକ୍ଷକ ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ଡିଏମ୍ଏଫ୍ ଅନୁଦାନରେ ଅଙ୍ଗନବାଡ଼ି, ବିଦ୍ୟାଳୟ ଓ ବିଭିନ୍ନ ବିଭାଗର କୋଠା ନିର୍ମାଣ ଏବଂ ଉନ୍ନତୀକରଣ କରାଯାଉଛି। ଶିକ୍ଷା ବିଭାଗର ଏହି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟାଳୟର କୋଠା ମରାମତି କିମ୍ବା ନୂତନ ଗୃହ ନିର୍ମାଣ କାହିଁକି ହେଉନାହିଁ ବୋଲି ପ୍ରଶ୍ନ ଉଠିଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି।