ଭାରସାମ୍ୟ ହରାଇ ଓଲଟିଲା ବୋଲବମ୍ ଯାତ୍ରା ଗାଡ଼ି, ୨୦ରୁ ଅଧିକ ଆହତ ..

ତିର୍ତୋଲ , ଢେଙ୍କାନାଳ ର କପିଳାସରେ ପାଣି ଢାଳି ଗାଁକୁ ଫେରୁଥିବା ବୋଲବମ୍ ଭକ୍ତମାନଙ୍କୁ ବସାଇ ଆସୁଥିବା ଏକ ଗାଡ଼ି ସୋମବାର ତିର୍ତ୍ତୋଲ ଥାନା ଅଧୀନ କୋଟକଣା ଛକ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇ ଓଲଟି ପଡ଼ିଛି । ଏହି ଦୁର୍ଘଟଣା ରେ ୨୦ରୁ ଅଧିକ ବୋଲବମ୍ ଭକ୍ତ ଆହତ ହୋଇଥିବା ଜଣାପଡ଼ିଛି ।ସୂଚନା ଅନୁଯାୟୀ, କୁଜଙ୍ଗ ବ୍ଲକ ଅଧୀନ ଫତେପୁର ପଞ୍ଚାୟତର ଖରିଗୋଠ ଗ୍ରାମରୁ କିଛି ବୋଲବମ୍ ଭକ୍ତ କପିଳାସ ର ଶୟୀବ ପୀଠକୁ ଯାଇ ପୂଜାର୍ଚ୍ଚନା ଓ ଜଳାଭିଷେକ କରି ଫେରୁଥିଲେ । ଫେରୁଥିବା ସମୟରେ କୋଟକଣାର ଶିବ ମନ୍ଦିର ନିକଟରେ ଗାଡ଼ିଟି ହଠାତ୍ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା ।ଗାଡ଼ିରେ ଛୋଟ ଶିଶୁ, ମହିଳା ଓ ବହୁ ପୁରୁଷ ଭକ୍ତ ଥିବାରୁ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚିତ୍କାର ଓ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା । ସ୍ଥାନୀୟ ଲୋକେ ତୁରନ୍ତ ଆହତମାନଙ୍କୁ ଉଦ୍ଧାର କରିବାରେ ସହଯୋଗ କରିଥିଲେ ।
ଖବର ପାଇ ତିର୍ତ୍ତୋଲ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚାଲାଇଥିଲା । ପରେ ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ମଣିଜଙ୍ଗା ମେଡିକାଲକୁ ପଠା ଯାଇଥିଲା । କିଛି ଆହତଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି ।
ଘଟଣା ସ୍ଥଳରେ ତିର୍ତ୍ତୋଲ ପୁଲିସ ପହଞ୍ଚି ଗାଡ଼ିଟିକୁ ମଧ୍ୟ ଜବତ କରିବା ସହିତ ଦୁର୍ଘଟଣାର କାରଣ ତଦନ୍ତ କରୁଛି । ଅତିବେଗ, ଯାନ୍ତ୍ରିକ ତ୍ରୁଟି କିମ୍ବା ରାସ୍ତାର ପରିସ୍ଥିତି ଯୋଗୁଁ ଗାଡ଼ିଟି ଭାରସାମ୍ୟ ହରାଇଥିବା ନେଇ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି ।
ଶ୍ରାବଣ ମାସରେ ବୋଲବମ୍ ଯାତ୍ରା ସମୟରେ ଏଭଳି ଦୁର୍ଘଟଣା ଘଟିଥିବାରୁ ସମଗ୍ର ଅଞ୍ଚଳରେ ଶୋକ ଓ ଚିନ୍ତାର ପରିବେଶ ସୃଷ୍ଟି ହୋଇଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆହତ ମାନଙ୍କ ଚିକିତ୍ସା ଓ ସହାୟତା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି ।( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
