August 10, 2026

ସମ୍ବଲପୁରରେ ‘ମାଟିର ମହକ’ କାର୍ଯ୍ୟକ୍ରମ ପଦ୍ମ ପୁରସ୍କାରପ୍ରାପ୍ତ ପ୍ରତିଭାମାନେ ସମାଜ ପାଇଁ ପ୍ରେରଣା – ଧର୍ମେନ୍ଦ୍ର ପ୍ରଧାନ

IMG-20260808-WA0134
Share

• ଯୁବପିଢ଼ି ଓଡ଼ିଶାର ଗୌରବମୟ ଇତିହାସ, ସଂଗ୍ରାମୀଙ୍କ ବୀରତ୍ୱ ଓ ସାଧକଙ୍କ ଉତ୍ସର୍ଗୀକୃତ ସାଧନା ଅନୁଧ୍ୟାନ କରିବା ଆବଶ୍ୟକ

 

• ସମ୍ବଲପୁରରେ ମହାନ ନାଟ୍ୟକାର ମୁରାରି ମିଶ୍ରଙ୍କ ନାମରେ କଳା ମହାବିଦ୍ୟାଳୟ ସ୍ଥାପନ ପାଇଁ ଉଦ୍ୟମ

 

ସମ୍ବଲପୁର,୦୮. ୦୮(ବ୍ୟୁରୋ) : ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ରଙ୍ଗବତୀ ମଞ୍ଚରେ ଆୟୋଜିତ ‘ମାଟିର ମହକ’ କାର୍ଯ୍ୟକ୍ରମରେ ଯୋଗଦେଇ ପଶ୍ଚିମ ଓଡ଼ିଶାର ପଦ୍ମ ସମ୍ମାନିତ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ସହ ଆଲୋଚନା କରିଛନ୍ତି ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ।

 

ଏହି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏହି ମାଟିରେ ଜନ୍ମ ନେଇ ନିଜର ସାଧନା ଓ ପ୍ରତିଭା ବଳରେ ନୂତନ ପରିଚୟ ସୃଷ୍ଟି କରି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବା ବ୍ୟକ୍ତିବିଶେଷମାନେ ସମାଜ ପାଇଁ ଗୋଟିଏ ଗୋଟିଏ ଜୀବନ୍ତ ଉଦାହରଣ । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନକାଳରେ ପଦ୍ମ ସମ୍ମାନ ଏବେ ‘ପିପୁଲ୍ସ ଆୱାର୍ଡ ’ରେ ପରିଣତ ହୋଇଛି। ପୂର୍ବରୁ ପଦ୍ମ ପୁରସ୍କାର ପାଇବା ପାଇଁ ଦିଲ୍ଲୀର ଆଭିଜାତ୍ୟପୂର୍ଣ୍ଣ ସ୍ଥାନରେ ପହଞ୍ଚିବାକୁ ପଡ଼ୁଥିଲା, କିନ୍ତୁ ଆଜି ମୋଦୀ ସରକାର ଗାଁ ଗହଳିରେ ଲୋକକଳା, ସାହିତ୍ୟ, କୃଷି, ଶିକ୍ଷା ଓ ସମାଜସେବାରେ ନିଜକୁ ସମର୍ପି ଦେଇଥିବା ପ୍ରକୃତ ସାଧକମାନଙ୍କୁ ଖୋଜି ବାହାର କରି ସମ୍ମାନିତ କରୁଛନ୍ତି ।

 

ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଓଡ଼ିଆ ଜାତି ଓ ସାହିତ୍ୟକୁ ଅତୁଳନୀୟ ଅବଦାନ ସମ୍ପର୍କରେ ଆଲୋଚନା କରି ଶ୍ରୀ ପ୍ରଧାନ ନିଜର କୋରାପୁଟର କୋଟିଆ ଗସ୍ତ ଅନୁଭୂତି ବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ, କୋଟିଆ ଗସ୍ତ ସମୟରେ ମାତୃଭାଷାରେ ଶିକ୍ଷା ପ୍ରଦାନର ଗୁରୁତ୍ୱ ଓ ଆବଶ୍ୟକତା କେତେ ଅଧିକ, ତାହା ଅନୁଭୂତ ହୋଇଥିଲା। ନିଜ ଭାଷା, ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେବା ଏବଂ ଗୌରବମୟ ଇତିହାସକୁ ଜାଣିବା ଆଜିର ସମୟର ସବୁଠାରୁ ବଡ଼ ଦାୟିତ୍ୱ ।

 

ଶ୍ରୀ ପ୍ରଧାନ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ, ଆଜିର ଯୁବସମାଜ ଆମ ଇତିହାସର ବୀର ସୁରେନ୍ଦ୍ର ସାଏ, କୁଦୋପାଲିର ସଂଗ୍ରାମ, ବକ୍ସି ଜଗବନ୍ଧୁ, ପିଣ୍ଡିକି ବାହୁବଳେନ୍ଦ୍ରଙ୍କ ପରି ଅନାଲୋଚିତ ସଂଗ୍ରାମୀଙ୍କ ବୀରତ୍ୱଗାଥା ଏବଂ ପଦ୍ମ ବିଜେତାଙ୍କ ସାଧନାକୁ ଅନୁଧ୍ୟାନ କରିବା ଆବଶ୍ୟକ। ତେବେ ଯାଇ ‘ବିକଶିତ ଓଡ଼ିଶା’ ଓ ‘ବିକଶିତ ଭାରତ’ର ମାର୍ଗ ପ୍ରଶସ୍ତ ହେବ।

ଏହି ସାଂସ୍କୃତିକ ଆକାଂକ୍ଷାକୁ ସାକାର କରିବା ପାଇଁ ସମ୍ବଲପୁରଠାରେ ମହାନ ସଂସ୍କୃତ ନାଟ୍ୟକାର ମୁରାରି ମିଶ୍ରଙ୍କ ନାମରେ ଏକ କଳା ମହାବିଦ୍ୟାଳୟ ବା ଆର୍ଟ କଲେଜ ସ୍ଥାପନ ନିମନ୍ତେ ସମସ୍ତଙ୍କର ମିଳିତ ଉଦ୍ୟମ ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି। ଏହି ପ୍ରସ୍ତାବିତ ଅନୁଷ୍ଠାନ ଭବିଷ୍ୟତରେ ନୃତ୍ୟକଳା, ସାହିତ୍ୟ, ପରଫର୍ମିଙ୍ଗ ଆର୍ଟ ସହ ଆଧୁନିକ ଡିଜିଟାଲ ଆର୍ଟ ଓ ଆନୁଷଙ୍ଗିକ କଳା ଶିକ୍ଷାର ଏକ ପ୍ରମୁଖ କେନ୍ଦ୍ର ଭାବେ ଆତ୍ମପ୍ରକାଶ କରିବ ବୋଲି ସେ ଦୃଢ଼ ବିଶ୍ୱାସ ବ୍ୟକ୍ତ କରିଛନ୍ତି ।

 

ଏହି ଗୌରବମୟ ଅବସରରେ ଶ୍ରୀ ପ୍ରଧାନ ପଶ୍ଚିମ ଓଡ଼ିଶାର ପଦ୍ମ ପୁରସ୍କାର ପ୍ରାପ୍ତ ପ୍ରତିଭା ଭାଗବତ ପଧାନ, ଶ୍ରୀନିବାସ ଉଦଗାତା, ପଟ୍ଟାୟତ ସାହୁ, ହଳଧର ନାଗ, ଜିତେନ୍ଦ୍ର ହରିପାଲ, ମିତ୍ରଭାନୁ ଗୌନ୍ତିଆ, କୈଳାଶ ଚନ୍ଦ୍ର ମେହେର ଏବଂ ମହେନ୍ଦ୍ର କୁମାର ମିଶ୍ରଙ୍କୁ ସମ୍ମାନିତ କରିବା ସହ ସେମାନଙ୍କ ଶ୍ରେଷ୍ଠ ଯୋଗଦାନ ପାଇଁ ଶୁଭେଚ୍ଛା ଜଣାଇଥିଲେ।

You may have missed