August 6, 2026

ବରଗଡ଼ରେ ପଶ୍ଚିମ ଓଡ଼ିଶା ୱେବ୍ ମିଡିଆ ଆସୋସିଏସନର ଷଷ୍ଠ ବାର୍ଷିକ ଉତ୍ସବ ପାଳିତ 

IMG-20260805-WA0103
Share

 

 

 

ବରପାଲି , ୫/୮(ସୁଦାମ ଦୀପ)ପଶ୍ଚିମ ଓଡ଼ିଶାର ୱେବ୍ ସାମ୍ବାଦିକମାନଙ୍କ ସର୍ବବୃହତ୍ ସଂଗଠନ *ପଶ୍ଚିମ ଓଡ଼ିଶା ୱେବ୍ ମିଡିଆ ଆସୋସିଏସନ (WOWMA)*ର ଷଷ୍ଠ ବାର୍ଷିକ ଉତ୍ସବ ଓ ବନ୍ଧୁ ମିଳନ ଉତ୍ସବ ବରଗଡ଼ ସ୍ଥିତ ଯଦୁମଣି ପ୍ରଧାନ ଅଡିଟୋରିୟମ୍‌ରେ ଉତ୍ସାହ ଓ ଗରିମାର ସହ ଅନୁଷ୍ଠିତ ହୋଇଯାଇଛି। ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶତାଧିକ ୱେବ୍ ସାମ୍ବାଦିକ, ଗଣମାଧ୍ୟମ ପ୍ରତିନିଧି, ଜନପ୍ରତିନିଧି, ସାମାଜିକ କର୍ମୀ ଓ ବିଶିଷ୍ଟ ବ୍ୟକ୍ତିବିଶେଷ ଏହି ଗରିମାମୟ ସମାରୋହରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ଏହି ଅବସରରେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଏବଂ କଂଗ୍ରେସ ନେତା ନିପନ ଦାଶ ପ୍ରମୁଖ ଉପସ୍ଥିତ ରହି ଆସୋସିଏସନର କାର୍ଯ୍ୟଧାରାର ପ୍ରଶଂସା କରିଥିଲେ। ପଶ୍ଚିମ ଓଡ଼ିଶାର ସାମ୍ବାଦିକମାନଙ୍କ ସ୍ୱାର୍ଥରକ୍ଷା, ଏକତା ଓ ପେଶାଗତ ବିକାଶ ଦିଗରେ ଆସୋସିଏସନର ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି ସେମାନେ କହିଥିଲେ। ବରଗଡ଼ ସହରରେ ସାମ୍ବାଦିକ ଭବନ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ଘଟଣା ସାମ୍ବାଦିକ ସମାଜ ପାଇଁ ଏକ ଐତିହାସିକ ପଦକ୍ଷେପ ବୋଲି ମଧ୍ୟ ମତ ପ୍ରକାଶ ପାଇଥିଲା।ଆସୋସିଏସନର ସଭାପତି ଅସିତ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନେ ଡିଜିଟାଲ୍ ସାମ୍ବାଦିକତାର ବର୍ତ୍ତମାନ ସ୍ଥିତି, ଭବିଷ୍ୟତ ଏବଂ ସମାଜ ପ୍ରତି ଏହାର ଦାୟିତ୍ୱ ଉପରେ ମତ ରଖିଥିଲେ। ସେମାନେ କହିଥିଲେ ଯେ, ବର୍ତ୍ତମାନର ଡିଜିଟାଲ୍ ଯୁଗରେ ୱେବ୍ ମିଡିଆ କେବଳ ଖବର ପ୍ରସାରଣର ମାଧ୍ୟମ ନୁହେଁ, ବରଂ ସମାଜର ଅବହେଳିତ, ନିଷ୍ପେଷିତ ଓ ବଞ୍ଚିତ ବର୍ଗର ସ୍ୱରକୁ ସରକାର ଓ ପ୍ରଶାସନ ପାଖରେ ପହଞ୍ଚାଇବାର ଏକ ଶକ୍ତିଶାଳୀ ମଞ୍ଚ। ଜନସାଧାରଣଙ୍କ ସମସ୍ୟା, ଦୁର୍ନୀତି, ଅନିୟମିତତା ଏବଂ ବିକାଶମୂଳକ ପ୍ରସଙ୍ଗକୁ ତ୍ୱରିତ ଭାବେ ଲୋକଲୋଚନକୁ ଆଣିବାରେ ୱେବ୍ ମିଡିଆର ଭୂମିକା ଦିନକୁ ଦିନ ବଢ଼ି ଚାଲିଛି।ଅତିଥିମାନେ ଆହୁରି କହିଥିଲେ ଯେ, ସତ୍ୟ, ନିଷ୍ଠା, ନିର୍ଭୀକତା ଓ ଜନସେବାର ଆଦର୍ଶକୁ ନେଇ କାର୍ଯ୍ୟ କରୁଥିବା ସାମ୍ବାଦିକମାନେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ଗରିମାକୁ ଅକ୍ଷୁଣ୍ଣ ରଖିଛନ୍ତି। ଭୁଲ୍ ସୂଚନା ଓ ଗୁଜବର ପ୍ରସାରକୁ ରୋକି ସଠିକ୍ ଓ ତଥ୍ୟଭିତ୍ତିକ ଖବର ପରିବେଷଣ କରିବା ପ୍ରତ୍ୟେକ ସାମ୍ବାଦିକଙ୍କ ନୈତିକ ଦାୟିତ୍ୱ ବୋଲି ସେମାନେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ୱେବ୍ ସାମ୍ବାଦିକ, ସମାଜସେବୀ, ବିଭିନ୍ନ ସଂଗଠନ ଏବଂ ଜନହିତକର କାର୍ଯ୍ୟରେ ସଫଳତା ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ମାନପତ୍ର ଓ ସ୍ମାରକ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ମାନିତ ଅତିଥିମାନେ ସମାଜ ପ୍ରତି ସେମାନଙ୍କର ଅବଦାନକୁ ପ୍ରଶଂସା କରି ଆଗାମୀ ଦିନରେ ମଧ୍ୟ ଜନସେବାରେ ନିୟୋଜିତ ରହିବାକୁ ଆହ୍ୱାନ ଜଣାଇଥିଲେ। ସଭାରେ ସାମ୍ବାଦିକତାର ନୈତିକ ମୂଲ୍ୟବୋଧ, ବୃତ୍ତିଗତ ଏକତା, ସାମାଜିକ ଦାୟିତ୍ୱ ଏବଂ ଆଧୁନିକ ଡିଜିଟାଲ୍ ସାମ୍ବାଦିକତାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମକୁ ମୁଗ୍ଧା ଦାଶ ଓ ଗୋପବନ୍ଧୁ ପୁରୋହିତ ସୁଚାରୁ ଭାବେ ସଂଯୋଜନା କରିଥିବା ବେଳେ ଉପସଭାପତି ଧୀରେନ୍ଦ୍ର ମହାନ୍ତି ସ୍ୱାଗତ ଓ ବିବରଣୀ ପାଠ କରିଥିଲେ କରିଥିଲେ। ଆସୋସିଏସନର ସଭାପତି ଅସିତ କୁମାର ସ୍ୱାଇଁ ସଂଗଠନର ବିଗତ ବର୍ଷର କାର୍ଯ୍ୟକଳାପ ଓ ଆଗାମୀ କାର୍ଯ୍ୟଯୋଜନା ସମ୍ପର୍କରେ ମତ ରଖି କହିଥିଲେ ଯେ, ପଶ୍ଚିମ ଓଡ଼ିଶାର ୱେବ୍ ସାମ୍ବାଦିକମାନଙ୍କୁ ଏକ ସଶକ୍ତ ଓ ଦାୟିତ୍ୱବାନ୍ ମଞ୍ଚ ପ୍ରଦାନ କରିବା ହିଁ ଆସୋସିଏସନର ପ୍ରମୁଖ ଲକ୍ଷ୍ୟ। ଶେଷରେ ଆସୋସିଏସନର ସାଧାରଣ ସମ୍ପାଦକ ଲୀଳାମୟ ବେହେରା ସମସ୍ତ ଅତିଥି, ସାମ୍ବାଦିକ, ସହଯୋଗୀ ଅନୁଷ୍ଠାନ ଓ ଉପସ୍ଥିତ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ, ପଶ୍ଚିମ ଓଡ଼ିଶାର ସାମ୍ବାଦିକମାନଙ୍କ ମଧ୍ୟରେ ଏକତା, ପେଶାଦାରିତା ଓ ପାରସ୍ପରିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ଦିଗରେ ଆସୋସିଏସନ ସଦା କାର୍ଯ୍ୟ କରିଆସୁଛି ଏବଂ ଆଗାମୀ ଦିନରେ ମଧ୍ୟ ସମାଜ ଓ ସାମ୍ବାଦିକ ସମୁଦାୟର ସ୍ୱାର୍ଥରେ ବିଭିନ୍ନ ଗଠନମୂଳକ ପଦକ୍ଷେପ ଗ୍ରହଣ କରିବ।କାର୍ଯ୍ୟକ୍ରମ ଶେଷରେ ଆୟୋଜିତ ସାଂସ୍କୃତିକ ପରିବେଷଣ ଉତ୍ସବରେ ଏକ ନୂତନ ଉତ୍ସାହ ଯୋଡ଼ିଥିଲା। ଉପସ୍ଥିତ ଅତିଥି ଓ ସାମ୍ବାଦିକମାନେ ଏହି ଆୟୋଜନକୁ ପଶ୍ଚିମ ଓଡ଼ିଶାର ୱେବ୍ ସାମ୍ବାଦିକମାନଙ୍କ ଏକତା, ସଂହତି ଓ ପେଶାଗତ ବିକାଶର ଏକ ସଫଳ ମଞ୍ଚ ବୋଲି ଅଭିହିତ କରିଥିଲେ।