August 6, 2026

ବାଇକରେ ବନ୍ୟାଞ୍ଚଳ ବୁଲିଲେ ମନ୍ତ୍ରୀ : ହାଟଡିହିରେ ବନ୍ୟା କ୍ଷୟକ୍ଷତିର କଲେ ଅନୁଧ୍ଯାନ 

IMG-20260805-WA0045
Share

ହାଟଡିହି ତା ୫/୮(ମନମୋହନ ନାୟକ) : ବୈତରଣୀ ନଦୀର ଭୟାବହ ବନ୍ୟା ପରେ କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକରେ ସୃଷ୍ଟି ହୋଇଥିବା କ୍ଷୟକ୍ଷତି ଓ ଜନଜୀବନର ସ୍ଥିତିକୁ ପ୍ରତ୍ୟକ୍ଷ ଭାବେ ଅନୁଧ୍ୟାନ କରିଛନ୍ତି ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ। ଦୁର୍ଗମ ଅଞ୍ଚଳରେ ଯାନବାହନ ଚଳାଚଳ ସମ୍ଭବ ନ ହେବାରୁ ସେ ବାଇକ୍ ଯୋଗେ ଆଇତିପୁର ପଞ୍ଚାୟତର ବିଭିନ୍ନ ବନ୍ୟା ପ୍ରଭାବିତ ଗ୍ରାମକୁ ଯାଇ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ମନ୍ତ୍ରୀ ପ୍ରଥମେ ଆନନ୍ଦପୁର ରିଙ୍ଗ୍ ରୋଡ଼ରେ ସୃଷ୍ଟି ହୋଇଥିବା ଘାଇ ପରିଦର୍ଶନ କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ କ୍ଷୟକ୍ଷତିର କାରଣ ଓ ପୁନରାବୃତ୍ତି ରୋକିବା ପାଇଁ ସ୍ଥାୟୀ ପଦକ୍ଷେପ ନେଇ ବିସ୍ତୃତ ସମୀକ୍ଷା କରିଥିଲେ। ପରେ ସେ ହାଟଡିହି ବ୍ଲକକୁ ପ୍ରବେଶ କରିବା ବେଳେ ବ୍ଲକ ସମୁଖରେ ବିଡ଼ିଓ, ତହସିଲଦାର ଓ ବ୍ଲକ କର୍ମଚାରୀ ମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ। ପରେ ବିଜେପି କାର୍ଯ୍ୟାଳୟ ଠାରେ ଦଳର କର୍ମକର୍ତ୍ତା ମାନେ ମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବା ପରେ ମନ୍ତ୍ରୀ ସିଧା ବନ୍ୟାଞ୍ଚଳ ଗ୍ରସ୍ତ କରିଥିଲେ। ନୂଆଗାଁ ଗ୍ରାମକୁ ଯାତାୟାତର ସୁବିଧା ନଥିବାରୁ ମନ୍ତ୍ରୀ ବାଇକ ଯୋଗେ ଯାଇ ନଦୀ କଡରେ ଥିବା ଏହି ଗାଁର ସ୍ଥିତି ଅନୁଧ୍ୟାନ କରି ଗାଁ ଲୋକଙ୍କ ସହିତ ଆଲୋଚନା କରି ଘରବାଡ଼ି କ୍ଷୟକ୍ଷତି, ଚାଷଜମି, ରାସ୍ତାଘାଟ ଓ ଅନ୍ୟାନ୍ୟ ଭିତ୍ତିଭୂମିର କ୍ଷୟକ୍ଷତି ସମ୍ପର୍କରେ ସ୍ଥାନୀୟ ଲୋକଙ୍କଠାରୁ ସୂଚନା ସଂଗ୍ରହ କରିଥିଲେ। ବନ୍ୟାପୀଡ଼ିତମାନେ ମନ୍ତ୍ରୀଙ୍କ ସମ୍ମୁଖରେ ନଦୀବନ୍ଧ ନିର୍ମାଣ , ପିଇବା ପାଣି, ଉଚ୍ଚ ରାସ୍ତା ନିର୍ମାଣ , ଘର ଭାଙ୍ଗିଯିବା, ଚାଷ କ୍ଷୟକ୍ଷତି ଏବଂ ସରକାରୀ ସହାୟତା ପ୍ରଦାନ ଭଳି ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ସେମାନଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ଶୁଣି ଯଥାଶୀଘ୍ର ସହାୟତା ପହଞ୍ଚାଇବା ସହ କ୍ଷୟକ୍ଷତିର ସଠିକ୍ ଆକଳନ କରି କ୍ଷତିଗ୍ରସ୍ତଙ୍କୁ ସରକାରୀ ନିୟମ ଅନୁଯାୟୀ ସହାୟତା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଥିଲେ। ଏହାସହ ଭବିଷ୍ୟତରେ ବୈତରଣୀ ନଦୀର ବନ୍ୟା ଦାଉରୁ ହାଟଡିହି ଅଞ୍ଚଳକୁ ସୁରକ୍ଷିତ ରଖିବା ପାଇଁ ନଦୀବନ୍ଧର ସୁଦୃଢ଼ୀକରଣ, ଘାଇ ସୃଷ୍ଟି ରୋକିବା ଏବଂ ସ୍ଥାୟୀ ବନ୍ୟା ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସେ କହିଥିଲେ। ପରେ ଆଇତିପୁର ପଞ୍ଚାୟତର ଆଇତିପୁର, ରତକଣା, ରାଘବପୁର ଆଦି ଗ୍ରାମ ଗ୍ରସ୍ତ କରି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଥିଲେ। ତାଙ୍କ ସହିତ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଆରକ୍ଷୀ ଅଧୀକ୍ଷକ ନୀତିନ କୁଶଳକର, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ମମିତା ନାଏକ, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ, ଆନନ୍ଦପୁର ଉପଜିଲ୍ଲାପାଳ ନୀଳ ମାଧବ ସୁନା, ତହସିଲଦାର ସଞ୍ଜୟ ସାମନ୍ତରାୟ, ବିଡ଼ିଓ ରଞ୍ଜନ କୁମାର ପରିଡା ଏବଂ ଅନ୍ୟାନ୍ୟ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଗସ୍ତ ସମୟରେ ବିଜେପିର ଜିଲ୍ଲା ସଭାପତି ଶୁକଦେବ ମହାନ୍ତ, ପୂର୍ବତନ ସଭାପତି ରାଧାକାନ୍ତ ମହାନ୍ତ, ବିଜେପି ନେତା ଆଲୋକ ସେଠୀ, ଜିଲ୍ଲା ଉପ ସଭାପତି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଯୁଧିଷ୍ଠିର ମଲ୍ଲିକ, ସରପଞ୍ଚ ରବୀନ୍ଦ୍ର ଜେନା, ବାବୁଲା କାଣ୍ଡି, ଚତୁର୍ଭୁଜ ସ୍ୱାଇଁ, ସୁରେନ୍ଦ୍ର ସାହୁ, ଜିଲ୍ଲା ପରିଷଦ ଅସୀମା ମିଶ୍ର, ମିନତୀ ମହାପାତ୍ର, ତୃପ୍ତିମୟୀ ଜେନା, ଦିପ୍ତିମୟୀ ସାହୁ, ସୁଶାନ୍ତ ଜେନାଙ୍କ ସମେତ ଶତାଧିକ ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ। ସାଧାରଣ ଲୋକଙ୍କ ଘରଦ୍ୱାରକୁ ପହଞ୍ଚି ବାଇକ୍ ଯୋଗେ ବନ୍ୟା ପରିସ୍ଥିତିର ସମୀକ୍ଷା କରିବାର ମନ୍ତ୍ରୀଙ୍କ ଏହି ପଦକ୍ଷେପ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା ସାଉଁଟିଛି ଓ ଚର୍ଚ୍ଚାର ବିଷୟ ପାଲଟିଛି।

You may have missed