ସେମିଳିଗୁଡ଼ାରେ ବଡ଼ ଚଢ଼ାଉ: ୪୫୩ଟି ଅବୈଧ Pentazocine Injection ଜବତ, ୪ ଗିରଫ

କୋରାପୁଟ, ୦୧.୦୮.୨୦୨୬ : ଯୁବ ପିଢ଼ିଙ୍କ ମଧ୍ୟରେ ନିଶା ଭଳି ବ୍ୟବହୃତ ହେଉଥିବା Pentazocine Injection ର ଅବୈଧ କାରବାର ଉପରେ କୋରାପୁଟ ଜିଲ୍ଲା ପୋଲିସ ପୁଣି ଥରେ ବଡ଼ ଧରଣର ଚଢ଼ାଉ କରିଛି। ସେମିଳିଗୁଡ଼ା ଥାନା ପୋଲିସ ଗତକାଲି ରାତିରେ ଗେରୁଗୁଡ଼ା ଭୈରବୀ ମନ୍ଦିର ନିକଟରେ ଅବୈଧ ଭାବେ Injection ବିକ୍ରି ହେଉଥିବା ଖବର ପାଇ ଚଢ଼ାଉ କରିଥିଲା। ଏହି ଚଢ଼ାଉ ବେଳେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଘଟଣାସ୍ଥଳରୁ ପୋଲିସ ୪୫୩ଟି Pentazocine Injection ଆମ୍ପୁଲ୍, ଗୋଟିଏ ଟ୍ରାଭେରା କାର, ୪ଟି ମୋବାଇଲ୍ ଫୋନ୍ ଏବଂ ନଗଦ ୭,୫୦୦ ଟଙ୍କା ଜବତ କରିଛି। ଏହି ସମ୍ପର୍କରେ ଆଜି ସୁନାବେଡା SDPO ସୁମିତ୍ରା ଜେନା ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସେ କହିଛନ୍ତି। ଡାକ୍ତରୀ ପରାମର୍ଶ ବିନା Pentazocine ବ୍ୟବହାର ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ। ଯୁବପିଢ଼ି ଏହାର ଶିକାର ହେଉଥିବାରୁ ଜିଲ୍ଲାରେ ଏହାର ଅବୈଧ କାରବାର ଉପରେ ପୋଲିସ କଡ଼ା ନଜର ରଖିଛି। ରିପୋର୍ଟ: ଗୁପ୍ତେଶ୍ଵର ରଥ, କୋରାପୁଟ।
