ସୋମବାର ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଜଗଦ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର କରିବେ ଉଦ୍ଘାଟନ
ଅଗଷ୍ଟ ୩ ତାରିଖରେ କଟକସ୍ଥିତ ଜଗଦ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦ୍ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ ରହିବେ ।
ଏହି ବିଶ୍ୱବିଦ୍ୟାଳୟର ସ୍ଥାପନା ଜଗଦ୍ଗୁରୁ ଶ୍ରୀକୃପାଳୁଜୀ ମହାରାଜଙ୍କ ଦିବ୍ୟ ପ୍ରେରଣା ଏବଂ ତାଙ୍କର ବରିଷ୍ଠ ଶିଷ୍ୟ, ବିଶ୍ୱପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ତଥା ଆଇଆଇଟି ଦିଲ୍ଲୀ ଓ ଆଇଆଇଏମ କଲିକତାର ପୂର୍ବତନ ଛାତ୍ର ଏବଂ ଅନେକ ବେଷ୍ଟସେଲର୍ ପୁସ୍ତକର ଲେଖକ ସ୍ୱାମୀ ମୁକୁନ୍ଦାନନ୍ଦଜୀଙ୍କ ନେତୃତ୍ୱରେ ସମ୍ଭବ ହୋଇଛି । ସ୍ୱାମୀଜୀ ଏହାକୁ ତାଙ୍କ ଗୁରୁସେବାର ଏକ ମହତ୍ୱପୂର୍ଣ୍ଣ ପ୍ରକଳ୍ପ ଭାବେ ଗ୍ରହଣ କରି ବର୍ଷ ବର୍ଷ ଧରି ଏହାର ସାକାର ରୂପ ପାଇଁ ପ୍ରୟାସ କରିଆସିଛନ୍ତି । ପ୍ରାୟ ୧୦୦ ଏକର ଜମିରେ ବିକଶିତ ଏହି ବିଶ୍ୱବିଦ୍ୟାଳୟରେ ପ୍ରଥମ ଶିକ୍ଷାବର୍ଷରୁ ଇଞ୍ଜିନିୟରିଂ, ପରିଚାଳନା, କମ୍ପ୍ୟୁଟର ଆପ୍ଲିକେସନ୍ ଓ ସ୍ୱାସ୍ଥ୍ୟ ବିଜ୍ଞାନ କ୍ଷେତ୍ରରେ ପାଠ୍ୟକ୍ରମ ଆରମ୍ଭ ହୋଇଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଡାଟା ସାଇନ୍ସ, ଏଆଇ ଏବଂ ସାଇବର ସିକ୍ୟୁରିଟି, ପ୍ରଡକ୍ଟ ଇଂଜିନିୟରିଂ, ବିଜିନେସ ଆଡମିନିଷ୍ଟ୍ରେସନ ଏବଂ ବି.ଏନ.ୱାଇ.ଏସ ଭଳି ଆଧୁନିକ ବିଷୟଗୁଡ଼ିକୁ ପ୍ରାଥମିକତା ଦିଆଯାଇଛି । ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟ ବିଭିନ୍ନ ସେଣ୍ଟର୍ ଅଫ୍ ଏକ୍ସଲେନ୍ସ ମାଧ୍ୟମରେ ମାନବୀୟ ଉତ୍କର୍ଷ, ବୈଦିକ ଜ୍ଞାନ, ଯୋଗ ବିଜ୍ଞାନ ଓ ସମନ୍ୱିତ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଚ୍ଚମାନର ଗବେଷଣାକୁ ପ୍ରୋତ୍ସାହନ ଦେବାର ଲକ୍ଷ୍ୟ ରଖିଛି ।
