November 28, 2026

୭ଦଫା ଦାବିରେ ଅଙ୍ଗନବାଡ଼ି କର୍ମୀଙ୍କ ସିଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ…

IMG-20261127-WA0156
Share

ସରକାରୀ ମାନ୍ୟତା ସହ ଅବସର କାଳୀନ ଆର୍ଥିକ ସୁରକ୍ଷା ଦାବିରେ ତେଜିଛି ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଆନ୍ଦୋଳନ। ସାତ ଦଫା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଚେତାବନୀ ଦେଇ ପାତ୍ରପୁର ସିଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି ବ୍ଲକର ଅଙ୍ଗନବାଡ଼ି କର୍ମୀ ଓ ସହାୟିକା। ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ଆହ୍ୱାନରେ ଚାଲିଥିବା ଏହି ଆନ୍ଦୋଳନରେ ପାତ୍ରପୁର ବ୍ଲକର ପ୍ରାୟ ୧୮୮ଟି ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ଓ ସହାୟିକା ସାମିଲ ହୋଇଛନ୍ତି। ଦୀର୍ଘବର୍ଷ ଧରି ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ସେବାରେ ନିୟୋଜିତ ଏହି କର୍ମଚାରୀମାନେ ନିଜର ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି। ଗତ ନଭେମ୍ବର ୧୪ ରେ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସାତ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବିଗୁଡ଼ିକ ମଧ୍ୟରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ସରକାରୀ କର୍ମଚାରୀର ମାନ୍ୟତା, କର୍ମୀଙ୍କ ମାସିକ ଦରମା ୩୦ ହଜାର ଏବଂ ସହାୟିକାଙ୍କ ୨୫ ହଜାର ଟଙ୍କାକୁ ବୃଦ୍ଧି କରିବା ଅନ୍ୟତମ। ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ଗ୍ରାଚ୍ୟୁଇଟି ପ୍ରଦାନ, ପଦୋନ୍ନତି ପ୍ରକ୍ରିୟାରେ ନିୟମିତତା ଓ ଅବସର ପରେ ଆର୍ଥିକ ସହାୟତା ଦାବି କରାଯାଇଛି। ଅବସର ସମୟରେ ଅଙ୍ଗନବାଡ଼ି କର୍ମୀଙ୍କୁ ୧୦ ଲକ୍ଷ ଏବଂ ସହାୟିକାଙ୍କୁ ୫ ଲକ୍ଷ ଟଙ୍କା ପ୍ରଦାନ କରିବା ସହ କର୍ମଚାରୀଙ୍କ ମୃତ୍ୟୁ ହେଲେ ପରିବାରକୁ ଆର୍ଥିକ ସହାୟତା ଓ ଅନ୍ୟାନ୍ୟ ସୁବିଧା ଯୋଗାଇଦେବାକୁ ମଧ୍ୟ ଦାବି ରହିଛି। ସଂଘର ଜିଲ୍ଲା ସଭାପତି ତଥା ପାତ୍ରପୁର ସଂଘ ସମ୍ପାଦକ ହେମଲତା ମହାନ୍ତି କହିଛନ୍ତି ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ। ଏଥିରେ ବ୍ଲକ ସଭାପତି ନଳିନୀ ମହାନ୍ତି, ସେକ୍ଟର ଲିଡର ଗୀତାଞ୍ଜଳି ନାୟକ, ଗୀତାଞ୍ଜଳି ଦେବୀ, ବବିତା ଦେବୀଙ୍କ ସମେତ ବହୁ କର୍ମୀ ଓ ସହାୟିକା ଯୋଗ ଦେଇଛନ୍ତି।(ଶୁଭଶ୍ରୀ ପ୍ରଧାନ)

You may have missed