ବୈପାରିଗୁଡ଼ାରେ ଗୋରୁ ଚାଲାଣ ବେଳେ ପୋଲିସର ଚଢ଼ାଉ,୪୪ ଗୋରୁ ଉଦ୍ଧାର,୩ ଗିରଫ—-
ବୈପାରିଗୁଡ଼ା(ଗୁପ୍ତେଶ୍ୱର ରଥ)କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ଥାନା ଅଞ୍ଚଳରେ ଅବୈଧ ଗୋରୁ ଚାଲାଣ ଉପରେ ପୋଲିସ ଚଢ଼ାଉ କରି ୪୪ଟି ଗୋରୁ ଉଦ୍ଧାର କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏକ କଣ୍ଟେନର ଗାଡ଼ିରେ ଅତ୍ୟନ୍ତ ଅସୁରକ୍ଷିତ ଭାବେ ଗୋରୁ ଗୁଡ଼ିକୁ ନେଇ ଯାଉଥିବା ସମୟରେ ପୋଲିସ ଏହି ଚଢ଼ାଉ କରିଥିଲା।ସୂଚନା ଅନୁଯାୟୀ ଗୋରୁ ଗୁଡ଼ିକୁ କଳାହାଣ୍ଡି ଜିଲ୍ଲାରୁ ଆନ୍ଧ୍ରପ୍ରଦେଶର ଚିନ୍ତୁର ଅଞ୍ଚଳକୁ ଚାଲାଣ କରାଯାଉଥିବା ସନ୍ଦେହ ରହିଛି।ଏ ସମ୍ପର୍କରେ ଖବର ପାଇ ବୈପାରିଗୁଡ଼ା ପୋଲିସ ଶହୀଦ ଲକ୍ଷ୍ମଣ ନାୟକ ଛକ ନିକଟରେ ରାତିରେ ଉକ୍ତ କଣ୍ଟେନର ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା।ଯାଞ୍ଚ ସମୟରେ ଗାଡ଼ି ଭିତରେ ୪୪ଟି ଗୋରୁ ଥିବା ଜଣାପଡ଼ିଥିଲା।ପୋଲିସ ଗାଡ଼ିଟିକୁ ଜବତ କରିବା ସହ ଗୋରୁ ଚାଲାଣରେ ସମ୍ପୃକ୍ତ ତିନି ଜଣଙ୍କୁ ଗିରଫ କରିଛି।ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ତେଲେଙ୍ଗାନା ରାଜ୍ୟର ବାସିନ୍ଦା ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଉତ୍ତରପ୍ରଦେଶର ବାସିନ୍ଦା ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି। ଗିରଫ ପରେ ସମସ୍ତଙ୍କୁ ଆଇନଗତ ପ୍ରକ୍ରିୟା ଅନୁସାରେ କୋର୍ଟକୁ ପଠାଯାଇଛି।ଉଦ୍ଧାର ହୋଇଥିବା ଗୋରୁ ଗୁଡ଼ିକୁ ସୁରକ୍ଷିତ ସ୍ଥାନକୁ ନେଇ ପଶୁଚିକିତ୍ସକଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏଥିରେ ତିନୋଟି ଗୋରୁ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।ଗୋଟିଏ ଗୋରୁର ବେକରେ ଆଘାତ ଲାଗିଥିବା ବେଳେ ଅନ୍ୟ ଦୁଇଟିର ଗୋଡ଼ ଭାଙ୍ଗିଥିବା ସୂଚନା ମିଳିଛି। ଆହତ ଗୋରୁ ଗୁଡ଼ିକର ଚିକିତ୍ସା ଚାଲିଛି।ଏହି ଗୋରୁ ଚାଲାଣ ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କିମ୍ବା ଏହା ପଛରେ ଏକ ବଡ଼ ଆନ୍ତଃରାଜ୍ୟ ଚାଲାଣ ରାକେଟ୍ କାମ କରୁଛି କି ନାହିଁ, ସେନେଇ ବୈପାରିଗୁଡ଼ା ପୋଲିସ ତଦନ୍ତ ଜାରି ରଖିଛି।
