November 28, 2026

ଉମରକୋଟରେ ପୌର ପ୍ରଶାସନର ଜବରଦଖଲ ଉଚ୍ଛେଦ ଅଭିଯାନବିଭିନ୍ନ ସ୍ଥାନରେ ୪ଟି ଘର ଭଙ୍ଗାଗଲା, ଡ୍ରେନ୍‌ ଉପରେ ଜବରଦଖଲକାରୀ ଦୋକାନୀଙ୍କୁ ଚେତାବନୀ……..

IMG-20261122-WA0052
Share

ଉମରକୋଟ:-(ଏମ୍.ଦୀନା°ଶୂ ଆଚାରୀ) ଉମରକୋଟ ସହରରେ ଜବରଦଖଲ ଉଚ୍ଛେଦ ନେଇ ପୌର ପ୍ରଶାସନ ପକ୍ଷରୁ ଆଜି ଏକ ବଡ଼ ଧରଣର ଅଭିଯାନ ଆରମ୍ଭ କରାଯାଇଛି। ପୌର ପରିଷଦ ଅଧିକାରୀ, ତହସିଲଦାର ଓ ପୋଲିସ ପ୍ରଶାସନର ମିଳିତ ଉଦ୍ୟମରେ ସହରର ବିଭିନ୍ନ ସ୍ଥାନରେ ଜବରଦଖଲ କରି ନିର୍ମାଣ ହୋଇଥିବା ୪ଟି ଘରକୁ ଭଙ୍ଗାଯାଇଛି। ସୂଚନା ଅନୁଯାୟୀ, ସହରର କେନାଲ ସାହି, ସନ୍ତୋଷୀ ନଗର ଏବଂ ଡିଏନ୍‌କେ ପରିବା ମାର୍କେଟ ନିକଟରେ ଦୁଇଟି ଘରକୁ ମିଶାଇ ମୋଟ ୪ଟି ଘର ଉଚ୍ଛେଦ କରାଯାଇଛି। ଏହି ଅଭିଯାନରେ ଜେସିବି ମେସିନ୍‌ ବ୍ୟବହାର କରାଯାଇଥିବାବେଳେ ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଅନ୍ୟପକ୍ଷରେ ଉମରକୋଟ ମୁଖ୍ୟ ରାସ୍ତାର ଡ୍ରେନ୍‌ ଉପରେ ଦୋକାନୀମାନଙ୍କ ଦ୍ୱାରା ହୋଇଥିବା ଜବରଦଖଲକୁ ନେଇ ପ୍ରଶାସନ ପକ୍ଷରୁ ତାଗିଦ୍‌ କରାଯାଇଛି। ଡ୍ରେନ୍‌ ଉପରେ ନିର୍ମାଣ ହୋଇଥିବା ଅଂଶ ଓ ବିଭିନ୍ନ ସାମଗ୍ରୀ ରଖି ଅବରୋଧ କରାଯାଇଥିବା ସ୍ଥାନଗୁଡ଼ିକୁ ନିଜେ ସଫା କରିବା ପାଇଁ ଦୋକାନୀମାନଙ୍କୁ ପୌର ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଦୋକାନୀମାନେ ନିଜ ନିଜର ଜବରଦଖଲ ହଟାଇବା ପାଇଁ କିଛି ସମୟ ମାଗିଥିବାରୁ ପ୍ରଶାସନ ପକ୍ଷରୁ ସେମାନଙ୍କୁ ନିର୍ଦ୍ଦିଷ୍ଟ ସମୟ ଦିଆଯାଇଛି। ଧାର୍ଯ୍ୟ ସମୟ ମଧ୍ୟରେ ଡ୍ରେନ୍‌ ଉପରେ ରହିଥିବା ନିର୍ମାଣ ଓ ଅନ୍ୟାନ୍ୟ ସାମଗ୍ରୀ ହଟାଇବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶକୁ ଅବମାନନା କଲେ ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ପୁନର୍ବାର ଉଚ୍ଛେଦ ଅଭିଯାନ କରାଯାଇ ଜବରଦଖଲ ହଟାଯିବ ବୋଲି ପୌର ପରିଷଦ ଅଧିକାରୀ ସ୍ପଷ୍ଟ କରିଛନ୍ତି। ସହରର ଡ୍ରେନେଜ୍‌ ବ୍ୟବସ୍ଥାକୁ ସୁଗମ କରିବା, ଜଳ ନିଷ୍କାସନରେ ବାଧା ଦୂର କରିବା ଏବଂ ରାସ୍ତାରେ ଯାତାୟାତକୁ ସ୍ୱାଭାବିକ କରିବା ଦିଗରେ ଏହି ଅଭିଯାନକୁ ଏକ ପଦକ୍ଷେପ ଭାବେ ଦେଖାଯାଉଛି।