ଉମରକୋଟ ନିକଟସ୍ଥ ଭାରତମାଳା ରାସ୍ତାରେ ଦୁର୍ଘଟଣା, ଦୁର୍ଘଟଣା ଗ୍ରସ୍ତ ଠିଆ ହେଇଥିବା କାରକୁ ବାଇକର ଧକ୍କା ଫଳରେ ୨ ଯୁବକ ଗୁରୁତର…….
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାରେ ନିର୍ମାଣାଧୀନ ଭାରତମାଳା ପ୍ରକଳ୍ପ ରାସ୍ତାରେ ପୁଣି ଏକ ସଡ଼କ ଦୁର୍ଘଟଣା ଘଟିଛି। ଉମରକୋଟ -ରାଇଘର ମଧ୍ୟବର୍ତ୍ତୀ ଠିସାଗୁଡ଼ା ଗ୍ରାମ ନିକଟରେ ଘଟିଥିବା ଦୁର୍ଘଟଣାରେ ଦୁଇଜଣ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆହତ ଦୁଇଜଣ ହେଲେ ଜାମରଣ୍ଡା ଗ୍ରାମର ଶଙ୍କର କଲାର ଓ ରାମପାଲ ସେଠିଆ। ଉଭୟଙ୍କୁ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ସୂଚନା ଅନୁଯାୟୀ, ଶଙ୍କର ଓ ରାମପାଲ ରାଇଘର ବ୍ଲକର ହାଟଭରଣ୍ଡି ଗ୍ରାମରୁ ଏକ ବାଇକ୍ରେ ନିଜ ଗ୍ରାମ ଜାମରଣ୍ଡାକୁ ଫେରୁଥିଲେ। ଏହି ସମୟରେ ଠିସାଗୁଡ଼ା ନିକଟରେ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ଉପରେ ଛିଡ଼ା ହୋଇଥିବା କାର OD 02 BC 0536 ସେମାନଙ୍କ ବାଇକ୍ ଧକ୍କା ଦେଇଥିଲା। ଫଳରେ ବାଇକ୍ଟି ଭାଙ୍ଗିରୁଜି ଯିବା ସହ ଉଭୟ ଆରୋହୀ ଗୁରୁତର ଆହତ ହୋଇଥିଲେ। ରାସ୍ତାରେ ଯାତାୟାତ କରୁଥିବା ଲୋକେ ଏହା ଦେଖି ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ଉମରକୋଟ ଡାକ୍ତରଖାନା ନିଆଯାଇଥିଲା।ଘଟଣାସ୍ଥଳରେ ଉମରକୋଟ ପୋଲିସ ପହଞ୍ଚି ତଦନ୍ତ କରୁଛି।ଅନ୍ୟପକ୍ଷରେ, ଭାରତମାଳା ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟିବା ଏବେ ଚିନ୍ତାର କାରଣ ପାଲଟିଛି। ରାସ୍ତାଟି ନିର୍ମାଣାଧୀନ ଥିବା ସତ୍ତ୍ୱେ ଯାନବାହନ ଚଳାଚଳ, ବେପରୁଆ ଗାଡ଼ି ଚାଳନା ଏବଂ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଦୁର୍ଘଟଣାର ଆଶଙ୍କା ବଢ଼ାଉଛି। ପୂର୍ବରୁ ଦୁର୍ଘଟଣା ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ଭାରତମାଳା ପ୍ରକଳ୍ପ କର୍ତ୍ତୃପକ୍ଷ କିଛିଦିନ ପାଇଁ ଏହି ରାସ୍ତାରେ ସାଧାରଣ ଯାନବାହନ ଚଳାଚଳ ବନ୍ଦ କରି କେବଳ ଜରୁରୀକାଳୀନ ଗାଡ଼ିକୁ ଅନୁମତି ଦେଇଥିଲେ। ଅନ୍ୟ ଗାଡ଼ିଗୁଡ଼ିକୁ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ କୁହାଯାଇଥିଲା। ତେବେ ନିୟମ ଉଲ୍ଲଂଘନ କରି ଯାନବାହନ ଚଳାଚଳ ଯୋଗୁଁ ପୁଣି ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି। ତେଣୁ ଏହି ରାସ୍ତାରେ ଯାତାୟାତ ସମୟରେ ଟ୍ରାଫିକ୍ ନିୟମ ପାଳନ ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ସାଧାରଣରେ ଦାବି ହେଉଛି।
