କଳାହାଣ୍ଡିକୁ ମିଳିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରଷ୍କାର
ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗର ଉଦ୍ୟମ ଯୋଗୁଁ, ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ସହ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମର୍ପଣ ଭାବ ଓ ଗୁଣାତ୍ମକ ଶିକ୍ଷାଦାନ ତଥା ଛାତ୍ର ଛାତ୍ରୀଙ୍କ ଶିକ୍ଷା ପ୍ରତି ଆଗ୍ରହ ଓ ଅଭିଭାବକଙ୍କ ସହଯୋଗ ଯୋଗୁଁ ଶିକ୍ଷା କ୍ଷେତ୍ରରେ କଳାହାଣ୍ଡି ଜିଲ୍ଲା ଉଲ୍ଲେଖନିୟ ପ୍ରଦର୍ଶନ କରି ରାଜ୍ୟ ସ୍ତରରେ ଶ୍ରେଷ୍ଠ ଜିଲ୍ଲା ଭାବରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବାର ଗୌରବ ଅର୍ଜନ କରିଛି। ଗୁରୁବାର ଦିନ ଭୁବନେଶ୍ୱର ଠାରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨O୨୬ ଅବସରରେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ଓ ସଫଳତାକୁ ନେଇ ଶ୍ରେଷ୍ଠ ତୃତୀୟ ସ୍ଥାନ ଅଧିକାର କରି କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର, ମଞ୍ଚରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତଥା ଅନ୍ୟ ଗଣ୍ୟମାନ୍ୟ ଅତିଥିଙ୍କ ଉପସ୍ଥିତିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରୁ ୧ କୋଟି ଟଙ୍କାର ସମ୍ମାନଜନକ ପୁରସ୍କାର ରାଶି ସହ ସମ୍ମାନ ଗ୍ରହଣ କରିଛନ୍ତି। କଳାହାଣ୍ଡି ଜିଲ୍ଲାର ଏହି ସଫଳତା ଜିଲ୍ଲାବାସୀଙ୍କୁ ଗର୍ବିତ କରିଥିବାବେଳେ, ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ଜଣାଇଛନ୍ତି ଯେ’ ଏହି ସଫଳତା ଜିଲ୍ଲାର ଶିକ୍ଷା କ୍ଷେତ୍ରକୁ ଆହୁରି ଆଗକୁ ନେବା ସହ ଆଗାମୀ ଦିନରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ସହ ନୂତନ ଉପଲବ୍ଧି ହାସଲ କରିବା ପାଇଁ ବିଶେଷ ପ୍ରାରଣା ଯୋଗାଇବ।
