November 8, 2026

ବିଶ୍ୱ ରେକର୍ଡରେ ସମ୍ବଲପୁରର ସୁନାମ ୧୫୪ କିଲୋମିଟର ମୋଟରସାଇକଲ ଚଳାଇ ଗିନିଜ୍ ବିଶ୍ୱ ରେକର୍ଡର ଅଧିକାରୀ ହେଲେ ମେଜର ଅମ୍ରିତ ପଣ୍ଡା

IMG-20261108-WA0135
Share

 

 

ସମ୍ବଲପୁର, : ଦୃଢ଼ ଇଚ୍ଛାଶକ୍ତି, ଅସାଧାରଣ ସାହସ ଓ ଅକ୍ଳାନ୍ତ ଅଭ୍ୟାସ ବଳରେ ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡ଼ିଛନ୍ତି ସମ୍ବଲପୁରର ସନ୍ତାନ ତଥା ଭାରତୀୟ ସେନାର ଅଧିକାରୀ ମେଜର ଅମ୍ରିତ ପଣ୍ଡା। ଏକ ଅଭିନବ ଓ ଦୁଃସାହସିକ ମୋଟରସାଇକଲ କୌଶଳ ପ୍ରଦର୍ଶନ କରି ସେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ୍‌ରେ ନିଜ ନାମ ସ୍ଥାନିତ କରି ଦେଶ, ଓଡ଼ିଶା ତଥା ସମ୍ବଲପୁର ପାଇଁ ଗୌରବ ଆଣିଛନ୍ତି।

 

ଗତ ନଭେମ୍ବର ୬ ତାରିଖରେ ମେଜର ପଣ୍ଡା ମୋଟରସାଇକଲର ହ୍ୟାଣ୍ଡଲ୍ ନଧରି, ଆସନ ଉପରେ ଠିଆ ହୋଇ ୧୫୪ କିଲୋମିଟର ବା ୯୫.୬୯ ମାଇଲ୍ ଦୂରତା ଅତିକ୍ରମ କରି ଏହି ଅସାଧାରଣ କୃତିତ୍ୱ ହାସଲ କରିଛନ୍ତି। ବେଙ୍ଗାଲୁରୁସ୍ଥିତ ଆର୍ମି ସର୍ଭିସ୍ କର୍ପସ୍ (ସାଉଥ୍) ପରିସରରେ ସେ ଏହି ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି।

 

ଏଏସ୍‌ସି ଟର୍ଣ୍ଣାଡୋଜ୍ ଦଳର ମୁଖ୍ୟ ଭାବେ ମେଜର ପଣ୍ଡାଙ୍କର ଦୁଃସାହସିକ ମୋଟରସାଇକଲ କୌଶଳ ପ୍ରଦର୍ଶନ କ୍ଷେତ୍ରରେ ଦୀର୍ଘ ଅଭିଜ୍ଞତା ରହିଛି। ସେନାର ବିଭିନ୍ନ କର୍ମଚାରୀଙ୍କୁ ନେଇ ଗଠିତ ଏହି ଦଳର ନେତୃତ୍ୱ ନେଇ ସେ ଦେଶର ବିଭିନ୍ନ ସ୍ଥାନରେ ଅନେକ ଦୁଃସାହସିକ ପ୍ରଦର୍ଶନ ଓ କାର୍ଯ୍ୟକ୍ରମରେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି।

 

ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ଏହି ରେକର୍ଡ ମଧ୍ୟ ଭାରତୀୟ ସେନାର ବେଙ୍ଗାଲୁରୁସ୍ଥିତ ଆର୍ମି ସର୍ଭିସ୍ କର୍ପସ୍‌ର ଏଏସ୍‌ସି ଟର୍ଣ୍ଣାଡୋଜ୍ ସଦସ୍ୟ ଅଭିଜିତ ସିଂହ ଗ୍ରେୱାଲଙ୍କ ନାମରେ ରହିଥିଲା। ସେ ୨୦୨୨ ଡିସେମ୍ବର ୪ ତାରିଖରେ ମୋଟରସାଇକଲ ଉପରେ ଠିଆ ହୋଇ ୧୦୭.୯୨ କିଲୋମିଟର ଦୂରତା ଅତିକ୍ରମ କରି ଏହି ରେକର୍ଡ ସ୍ଥାପନ କରିଥିଲେ। ଏବେ ମେଜର ଅମ୍ରିତ ପଣ୍ଡା ୧୫୪ କିଲୋମିଟର ଦୂରତା ଅତିକ୍ରମ କରି ପୂର୍ବ ରେକର୍ଡକୁ ପଛରେ ପକାଇ ନୂତନ ଇତିହାସ ରଚିଛନ୍ତି।

 

ମେଜର ଅମ୍ରିତ ପଣ୍ଡା ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ମାର୍ଗସ୍ଥିତ ଧୁଚୁରାପଡ଼ା ନିବାସୀ ବିଜୟ ପଣ୍ଡା ଓ ପୁଷ୍ପାରାଣୀ ପଣ୍ଡାଙ୍କ ସୁପୁତ୍ର। ସେ ବରିଷ୍ଠ ସାମ୍ବାଦିକ ଶ୍ରୀ ଅର୍ଜୁନ ରଞ୍ଜନ ପଣ୍ଡାଙ୍କ ନାତି ତଥା ବିଶିଷ୍ଟ ଐତିହାସିକ ଦୀପକ କୁମାର ପଣ୍ଡାଙ୍କ ପୁତୁରା।

 

ତାଙ୍କର ଏହି ଅସାଧାରଣ ସଫଳତା କେବଳ ଏକ ବ୍ୟକ୍ତିଗତ କୃତିତ୍ୱ ନୁହେଁ, ବରଂ ସମ୍ବଲପୁର ମାଟିର ଗୌରବ ଓ ଯୁବପିଢ଼ିଙ୍କ ପାଇଁ ଏକ ପ୍ରେରଣାଦାୟକ ଉଦାହରଣ। ମେଜର ଅମ୍ରିତ ପଣ୍ଡାଙ୍କ ଏହି ବିଶ୍ୱବିଜୟୀ ସଫଳତା ପାଇଁ ସମଗ୍ର ସମ୍ବଲପୁର ଅଞ୍ଚଳରେ ଆନନ୍ଦ ଓ ଗର୍ବର ମାହୋଲ ସୃଷ୍ଟି ହୋଇଛି।

You may have missed