ଉମରକୋଟ ମାଁ ପେନ୍ଡ୍ରାଣୀ ମନ୍ଦିରରେ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାସ,୩ ଜଣ ଅଭିଯୁକ୍ତଙ୍କୁ ଗିରଫ……..
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟା ଦେବୀ ମାଁ ପେନ୍ଡ୍ରାଣୀ ମନ୍ଦିରରେ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ମନ୍ଦିର ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିବା ଅଭିଯୋଗରେ ଉମରକୋଟ ଥାନା ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଛି। ସେମାନଙ୍କ ନିକଟରୁ ଚୋରି ହୋଇଥିବା ନଗଦ ଟଙ୍କା ଏବଂ ଅପରାଧରେ ବ୍ୟବହୃତ ଲୁହା ଛଡ଼ ଜବତ ହୋଇଛି। ଏ ନେଇ ଆଜି ଉମରକୋଟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ଆଦିତ୍ୟ ସେନ ବିସ୍ତୃତ ସୂଚନା ଦେଇଛନ୍ତି। ଗତ ୨୬ ତାରିଖ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ମାଁ ପେନ୍ଡ୍ରାଣୀ ମନ୍ଦିର ପରିସରରେ ପଶି ଦାନବାକ୍ସ ଭାଙ୍ଗି ପ୍ରାୟ ୧୫ ହଜାର ଟଙ୍କା ଲୁଟି ନେଇଥିଲେ।ଏହି ଘଟଣାରେ ମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ଦାୟର କରାଯିବା ପରେ ଉମରକୋଟ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ପ୍ରକ୍ରିୟା ମଧ୍ୟରେ ପୋଲିସ ଘଟଣାରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ପୋଲିସ ସେମାନଙ୍କ ନିକଟରୁ ନଗଦ ୩,୪୮୦ ଟଙ୍କା ସମେତ ହୁଣ୍ଡି ଭାଙ୍ଗିବାରେ ବ୍ୟବହାର କରାଯାଇଥିବା ବିଭିନ୍ନ ପ୍ରକାର ଲୁହା ଛଡ଼ ଜବତ କରିଛି।ଅତିରିକ୍ତ ଏସପି ଶ୍ରୀ ସେନଙ୍କ କହିବା ଅନୁଯାୟୀ, ଅଭିଯୁକ୍ତ ମାନଙ୍କର ପୂର୍ବ ଅପରାଧିକ ରେକର୍ଡ଼ ଯାଞ୍ଚ କରାଯାଉଛି। ଏହି ଚୋରି ଘଟଣାରେ ଅନ୍ୟ କାହାର ସଂପୃକ୍ତି ରହିଛି କି ନାହିଁ ଏବଂ ବାକି ଟଙ୍କା କେଉଁଠି ରହିଛି, ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ବୋଲି କହିଛନ୍ତି ଅତିରିକ୍ତ ଏସପି। ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ ପି ଙ୍କ ସହ ଉମରକୋଟ ପୋଲିସ ଉପଖଣ୍ଡ ଅଧିକାରୀ ଶୁଭେନ୍ଦୁ ଶବର ଓ ଥାନା ଆଇଆଇସି ଯୁଗଳ ଶବର ଉପସ୍ଥିତ ଥିଲେ।
