ସତଲମା ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖାଦ୍ୟ ମେଳା-୨୦୨୬ ଅନୁଷ୍ଠିତ
ବରଗଡ଼ 🙁 ସୁଦାମ ଦୀପ) ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସତଲମା ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଖାଦ୍ୟ ମେଳା-୨୦୨୬ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ମେଳା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୁଷ୍ଟିକର ଖାଦ୍ୟ, ସୁସ୍ଥ ଖାଦ୍ୟାଭ୍ୟାସ ଓ ଖାଦ୍ୟର ଗୁଣବତ୍ତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ସେମାନଙ୍କ ମଧ୍ୟରେ ସୃଜନଶୀଳତା ଓ ବ୍ୟବହାରିକ ଜ୍ଞାନର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା।ଉଦ୍ଘାଟନୀ ସମାରୋହରେ ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଲିଙ୍ଗରାଜ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ସତଲମା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭରତ ସାହୁ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଅରୁନ୍ଧତୀ ଭୋଇ,ସରପଞ୍ଚ ପ୍ରତିନିଧି ରାଘବ ନାଏକ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶଶଧର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଖାଦ୍ୟ ମେଳାରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ। ପାରମ୍ପରିକ ଖାଦ୍ୟଠାରୁ ଆରମ୍ଭ କରି ବିଭିନ୍ନ ସୁସ୍ୱାଦୁ ଓ ପୁଷ୍ଟିକର ଖାଦ୍ୟର ପ୍ରଦର୍ଶନ ମେଳାକୁ ଆକର୍ଷଣୀୟ କରିଥିଲା। ଏହାସହ ଖାଦ୍ୟ ପ୍ରସ୍ତୁତି, ପରିବେଷଣ ଓ ସ୍ୱଚ୍ଛତା ପ୍ରତି ମଧ୍ୟ ଛାତ୍ରଛାତ୍ରୀମାନେ ବିଶେଷ ଧ୍ୟାନ ଦେଇଥିଲେ। ଏଭଳି କାର୍ଯ୍ୟକ୍ରମ ପିଲାମାନଙ୍କୁ ପାଠ୍ୟପୁସ୍ତକ ବାହାରେ ନୂତନ ଅନୁଭୂତି ଓ ଶିକ୍ଷଣୀୟ ଅଭିଜ୍ଞତା ପ୍ରଦାନ କରିଥିଲା।
କାର୍ଯ୍ୟକ୍ରମର ସଫଳ ଆୟୋଜନରେ ବିଦ୍ୟାଳୟର ଶିକ୍ଷକ ପବିତ୍ର କୁମାର ରଣା, ହିତାଂଶୁ ଶେଖର ସାହୁ, ନବଗାନ୍ଧୀ ତଣ୍ଡିଆ ଓ ଅତିସ ସାହୁ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ବିଦ୍ୟାଳୟର ଏହି ଅଭିନବ ପଦକ୍ଷେପକୁ ଉପସ୍ଥିତ ଅତିଥି ଓ ଅଭିଭାବକମାନେ ପ୍ରଶଂସା କରିଥିଲେ।
